ପୁରୀରେ ଗ୍ରୀନ ଫିଲଡ ବିମାନ ବନ୍ଦର ପାଇଁ ରିପୋର୍ଟ ପ୍ରସ୍ତୁତ : କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ କହିଲେ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା

ଝାରସୁଗୁଡା ବିମାନ ବନ୍ଦରର ଫେଜ-୨ ଉନ୍ନତି କରଣ କାର୍ଯ୍ୟ ପାଇଁ ୧୮୦ ଏକର ଜମି ଯୋଗାଇ ଦେବାକୁ କଲେ ଅନୁରୋଧ

116

କନକ ବ୍ୟୁରୋ : ପୁରୀଠାରେ ଗ୍ରୀନ ଫିଲଡ ବିମାନ ବନ୍ଦର ତିଆରି ପାଇଁ ସମସ୍ତ ରିପୋର୍ଟ ତିଆରି ସରିିଛି । ଏହି ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ପଠାଯାଇଛି । ରାଜ୍ୟ ଅନୁମତି ଦେବା ପରେ ଖୁବଶୀଘ୍ର ପୁରୀରେ ଗ୍ରୀନ ଫିଲଡ ଏୟାର ପୋର୍ଟ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହା କହିଛନ୍ତି ।

ସୋମବାର ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଆୟୋଜିତ ଉଡ଼ାନ୍ ଉତ୍ସବରେ ଯୋଗଦେବା ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିନ୍ଧିଆ କହିଛନ୍ତି ଯେ ପୁରୀ ଠାରେ ଏକ ଗ୍ରିନ୍‌ଫିଲ୍‌ଡ୍‌ ବିମାନବନ୍ଦର ନିର୍ମାଣ କରାଯିବ । କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ପୁରୀରେ ଅନ୍ତର୍ଜାତୀୟ ସ୍ତରର ବିମାନବନ୍ଦର ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଅପରପକ୍ଷେ ରାଜ୍ୟ ସରକାରଙ୍କ ବେସମାରିକ ବିମାନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରାୟ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଡିପିଆର୍ ପ୍ରସ୍ତୁତ କରିଥିଲୁ । ଏହା‌କୁ ଭିତ୍ତି କରି କେନ୍ଦ୍ରୀୟ ଟିମ୍ ବିମାନବନ୍ଦର ପାଇଁ ଚିହ୍ନଟ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ ।

ସେମାନେ କ୍ଷେତ୍ର ପରିଦର୍ଶନ ପରେ ମନ୍ତ୍ରଣାଳୟରେ ଫିଜିବିଲିଟି ରିପୋର୍ଟ ଦାଖଲ କରିଥିଲେ। ଏହାକୁ ସବୁଜ ସଂକେତ ମିଳିଛି । ଏହାପରେ ଆମକୁ ‌ବୈଷୟିକ ରିପୋର୍ଟ ମଗାଯାଇଛି । ଏନେଇ ଏକ ଘରୋଇ ସଂସ୍ଥାକୁ ନିୟୋଜିତ କରାଯାଇଛି । ଏଥିରେ ବିମାନବନ୍ଦର ପାଇଁ କ’ଣ ବାଧକ ଅଛି, କ’ଣ ସୁବିଧା ଅଛି, ଏୟାରଷ୍ଟ୍ରିପ୍ କେଉଁଠି ହେବ, କେତେ ଜମି ଆବଶ୍ୟକ, ଟର୍ମିନାଲ ବିଲଡିଂ କେଉଁ ଦିଗରେ ହେବ, ରନୱେ କେଉଁ ଦିଗରେ ଓ କେତେ ଲମ୍ବର ହେବ, ବିମାନ ପାର୍କିଂ ଅଞ୍ଚଳ କେଉଁଠି ହେବ, ଏଟିସି ଟାୱାର କେଉଁ ଦିଗରେ ଓ କେଉଁଠି ନିର୍ମାଣ ହେବ, ପବନର ଦିଗ ଓ ବେଗ କେଉଁଠି କେତେ ରହୁଛି ‌‌ଇତ୍ୟାଦି ବିଷୟ ଉପରେ ମାସେ ମଧ୍ୟରେ ରିପୋର୍ଟ ‌ଦିଆଯିବ ।

କେନ୍ଦ୍ରର ମଞ୍ଜୁରୀ ମିଳିବା ପରେ ବିମାନବନ୍ଦରକୁ ପିପିପି ମୋଡରେ ନିର୍ମାଣ କରାଯିବ କି ରାଜ୍ୟ ସରକାର ନିଜ ଅର୍ଥରେ ନିର୍ମାଣ କରିବେ ସେନେଇ ନିଷ୍ପତ୍ତି ହେବ । ଏ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ତେଣୁ ଆମେ ଏବେ କେବଳ କେନ୍ଦ୍ରର ନୀତିଗତ ମଞ୍ଜୁରୀକୁ ଅପେକ୍ଷା କରିଛୁ । ଏହା ମିଳିଲେ ଯଥାସମ୍ଭବ ଶୀଘ୍ର ପୁରୀରେ ଏକ ଅନ୍ତର୍ଜାତୀୟ ମାନର ଗ୍ରିନ୍‌ଫିଲ୍ଡ ବିମାନବନ୍ଦର ନିର୍ମାଣ ହେବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି ।