ବିଶ୍ୱକୁ ସବୁଜମୟ କରିବାକୁ ଅନ୍ତର୍ଜାତୀୟ ସବୁଜ ବାହିନୀର ଅଭିଯାନ । ଶ୍ରୀମନ୍ଦିର ସମ୍ମୁଖରେ ମହାସଂକଳ୍ପ, ସାମିଲ ହେଲେ ନେତା, ଅଭିନେତା ଓ ସାମାଜିକ କର୍ମୀ ।

123

କନକ ବ୍ୟୁରୋ : ଅମ୍ଲଜାନ ଅଭାବରେ ଏବେ ବିଶ୍ୱ ପରିସ୍ଥିତି ଭୟାବହ । ବିଭିନ୍ନ କାରଣରୁ ପରିବେଶ ପ୍ରଦୂଷିତ ହୋଇଛି । ଆଉ ଏଭଳି ପରିସ୍ଥିତିରେ ବିଶ୍ୱକୁ ସବୁଜମୟ କରିବାକୁ ସଙ୍କଳ୍ପ ନେଇ ଅନ୍ତର୍ଜାତୀୟ ସବୁଜ ବାହିନୀ ଆଜିଠାରୁ ଆରମ୍ଭ କରିଛି ସବୁଜ ସଂଗ୍ରାମ । ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରେରଣା ଓ ଓଡିଶା ଯୁବଚେତନା ସଙ୍ଗଠନ, ମିଶନ ଓଡିଶା, ନିର୍ମାଲ୍ୟ ଓ ଅଭିନନ୍ଦିକାର ମିଳିତ ସହଯୋଗରେ ଶ୍ରୀମନ୍ଦିର ସମ୍ମୁଖ ସିଂହଦ୍ୱାରରୁ ଏହି ସଂଗ୍ରାମ ଆରମ୍ଭ ହୋଇଛି । ଅପରାହ୍ନରେ ପୁରୀ ବେଳାଭୂମିରେ ସବୁଜ ବାହିନୀ ଦ୍ୱାରା ସଫେଇ କରାଯାଇଛି ।

ଦିନକୁ ଦିନ ଉତ୍କଟ ହେଲାଣି ପରିବେଶ ପ୍ରଦୂଷଣ । ବିଶ୍ୱର ଜଳବାୟୁରେ ପରିବର୍ତ୍ତନ ହେଉଛି । ବଢି ବଢି ଚାଲିଛି ଉତ୍ତାପ । ଗ୍ଲୋବାଲ ୱାର୍ମିଂ ଏବେ ଚିନ୍ତାଜନକ ପ୍ରସଙ୍ଗ । କେମିତି ବାୟୁମଣ୍ଡଳକୁ ରକ୍ଷା କରାଯାଇପାରିବ ଏବଂ ପୃଥିବୀକୁ ରକ୍ଷା କରାଯାଇପାରିବ ତାହା ଏବେ ବିଶ୍ୱବାସୀଙ୍କ ଆଗରେ ସବୁଠାରୁ ବଡ ପ୍ରଶ୍ନ ।

ଏପରି ସମୟରେ ଆଗକୁ ଆସିଛି ଅନ୍ତର୍ଜାତୀୟ ସବୁଜ ବାହିନୀ । ଆରମ୍ଭ କରିଛି ବିଶ୍ୱସବୁଜ ଯୁଦ୍ଧ । ଉଦ୍ଦେଶ୍ୟ ଗଛ ଲଗାଇ ବିଶ୍ୱକୁ ସବୁଜମୟ କରିବା । ପରିବେଶକୁ ପ୍ରଦୂଷଣମୁକ୍ତ କରିବା । ସବୁଜ ବଳୟ ତିଆରି କରିବା । ଶ୍ରୀମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇଛି ଏହି ସବୁଜ ସଂଗ୍ରାମ ।

ବିଶ୍ୱ ସବୁଜ ଯୁଦ୍ଧରେ ଆରମ୍ଭ ହୋଇଥିବା ଏହି ସଂକଳ୍ପ ଯାତ୍ରାରେ ବନ୍ୟଜନ୍ତୁଙ୍କ ପ୍ରତିମୂର୍ତିକୁ ସାମିଲ କରାଯାଇଛି । ପରିବେଶକୁ ଗ୍ଲୋବାଲ ୱାର୍ମିଂରୁ କିପରି ରକ୍ଷା କରାଯାଇପାରିବ ସେ ଦିଗରେ ସମଗ୍ର ବିଶ୍ୱକୁ ବାର୍ତ୍ତା ଦେବାକୁ ଏହି ଅଭିଯାନ ମାଧ୍ୟମରେ ଚେଷ୍ଟା କରାଯାଇଛି ।

ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରେରଣା ଓ ଓଡିଶା ଯୁବଚେତନା ସଙ୍ଗଠନ, ମିଶନ ଓଡିଶା, ନିର୍ମାଲ୍ୟ ଓ ଅଭିନନ୍ଦିକାର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଏହି ସଂଗ୍ରାମ । ବିଭିନ୍ନ ଜିଲ୍ଲାରୁ ଆସିଥିବା ୫ ଶହ ସବୁଜ ବାହିନୀ ସଦସ୍ୟ ଏନେଇ ମହାସଂକଳ୍ପ ନେଇଛନ୍ତି । କାର୍ଯ୍ୟକ୍ରମରେ ରାଜନେତା, ଅଭିନେତ୍ରୀ, ବୁଦ୍ଧିଜୀବୀ, କଳାକାର, ସାହିତ୍ୟିକ, ପ୍ରକୃତି ବନ୍ଧୁ ଓ ବିଭିନ୍ନ ବର୍ଗରେ ଲୋକ ଭାଗ ନେଇଛନ୍ତି ।