ଅସଲି ଫଟୋ, ନକଲି କାଗଜପତ୍ର ଦେଖାଇ ଠକୁଥିଲା ହାଇଟେକ୍ ଠକ । ମୃତକଙ୍କ ନାଁରେ ଫାଇନାନ୍ସ କରି ଚଳାଉଥିଲା ଗାଡ଼ି ।

134

କନକ ବ୍ୟୁରୋ : ଆପଣମାନେ ଅନେକ ଠକ ଦେଖିଥିବେ । ହେଲେ ଆମେ ଆପଣଙ୍କୁ ଏମିତି ଜଣେ ଠକଙ୍କ କାହାଣୀ କହିବୁ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଅସଲି ଫଟୋ, ନକଲି କାଗଜପତ୍ର ଦେଖାଇ ଠକୁଥିଲା ହାଇଟେକ୍ ଠକ । ବ୍ୟାଙ୍କ କର୍ମଚାରୀର ପରିଚୟ ଦେଇ ଲୋକଙ୍କ ଠାରୁ ୫ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହେବା ପରେ ପୂରା କାହାଣୀ ପଦାକୁ ଆସିଛି ।

ଫଟୋ ଅସଲି, ପରିଚୟ ପତ୍ର ନକଲି । ଆଧାର କାର୍ଡ, ପାନ କାର୍ଡ ପାଖରୁ ଆରମ୍ଭ କରି ବାହାଘର କାର୍ଡ ସବୁ ନକଲି । ଅଡଶପୁରର ଏହି ଧୃତ ଠକ ସ୍ମୃତି ରଞ୍ଜନ ସାହୁ ଡକ୍ୟୁମେଂଟରେ ନାଁ ନିଜର ରଖି ବାପାର ନାଁକୁ ବଦଳାଇ ଠକେଇର ମୂଳଦୁଆ ପକାଇଥିିଲା । ଆଉ ଏପରି କରି ଅନେକ ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀ ପାଖରୁ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି । ସବୁଠୁ ବଡ କଥା ହେଲା ପୁଲିସ ହାତରେ ଧରାପଡିବା ପରେ ଅଭିଯୋଗକୁ ବାଁଏ ବାଁଏ କରି ଉଡାଇ ଦେଇଛି । ଆଉ ସବୁ ଦୋଷ ଫାଇନାନ୍ସ କମ୍ପାନୀକୁ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଠକ ସର୍ଦ୍ଦାର ବିଭିନ୍ନ ଲୋକଙ୍କ ନାଁରେ ଜାଲ୍ ପରିଚୟ ପତ୍ର ତିଆରି କରି ବ୍ୟାଙ୍କ ଏବଂ ଫାଇନାନ୍ସ କମ୍ପାନୀକୁ ଚୂନ ଲଗାଉଥିଲା । ଏପରି ଠକେଇ କରି ଅଡଶପୁରରେ ଅଢେଇ କୋଟିରୁ ଅଧିକ ଟଙ୍କାର ଘର କରିଥିବା ଜଣାପଡିଛି । ଏବେ ଯେଉଁସବୁ ବ୍ୟକ୍ତିଙ୍କ ନାଁରେ ଜାଲ୍ କାଗଜ ପତ୍ର ତିଆରି କରିଥିଲା ଏହି କରିତକର୍ମା, ଏବେ ପୁଲିସ ସେମାନଙ୍କୁ ଯୋଗାଯୋଗ କରୁଛି । ବିଭିନ୍ନ ଥାନାକୁ ସ୍ମୃତିର ଫଟୋ ପଠାଇ ପୂର୍ବରୁ ରହିଥିବା ୫ଟି ମାମଲାର ଖୋଳତାଡ କରୁଛି କମିଶନରେଟ୍ ପୁଲିସ । ତେବେ ଏହି ଠକ ଜଣଙ୍କ ମୃତ ବ୍ୟକ୍ତିଙ୍କୁ ବି ଛାଡିନି । ମଲା ଲୋକଙ୍କ ନାଁରେ ଫାଇନାନ୍ସ କରି ଗାଡି ଚଢୁଛି ଏହି ଠକ ଓସ୍ତାଦ ।