କନକ ବ୍ୟୁରୋ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅବଦୁଲ ଏସ ନାଜିରଙ୍କୁ ରାଜ୍ୟପାଳ ନିଯୁକ୍ତି ନେଇ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଜଷ୍ଟିସ୍ ଅବଦୁଲ ଅବସର ନେବାର ୬ ସପ୍ତାହ ମଧ୍ୟରେ ତାଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଜଷ୍ଟିସ୍ ଅବଦୁଲ ଏସ ନାଜିର ଅଯୋଦ୍ଧ୍ୟା ରାମ ମନ୍ଦିର ବିବାଦ ଏବଂ ଟ୍ରିପଲ ତଲାକ ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ଏବଂ ବିବାଦୀୟ ମାମଲାର ଶୁଣାଣି କରିଥିଲେ । ତାଙ୍କୁ ଏବେ ରାଜ୍ୟପାଳ ନିଯୁକ୍ତ ଦେବା ପରେ ଏହାକୁ ବିରୋଧ କରିଛି କଂଗ୍ରେସ ।

Advertisment

କଂଗ୍ରେସର ସାଧାରଣ ସମ୍ପାଦକ ଜୟୀରାମ ରମେଶ ସ୍ୱର୍ଗତ ବିଜେପି ନେତା ତଥା ପୂର୍ବତନ ଆଇନ ମନ୍ତ୍ରୀ ଅରୁଣ ଜେଟଲିଙ୍କ ଏକ ଭିଡିଓ ଟୁଇଟ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ଯେଉଁ ଭିଡିଓରେ ଅରୁଣ ଜେଟଲି କହିଥିଲେ, ଅବସର ପୂର୍ବରୁ ଦେଇଥିବା ବିଚାରପତି ହେଉଥିବା ରାୟ ଅବସର ପରେ ମିଳୁଥିବା ନିଯୁକ୍ତ ସହ ସମ୍ପୃକ୍ତ ରହିଛି । ଆଉ ଏହି ଭିଡିଓ ଟୁଇଟ କରି ବିଜେପି ନ୍ୟାୟପାଳିକାରେ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଛି ବିଜେପି ।

ତେବେ ଏହାର ଯବାବ ରଖି ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ରାଜ୍ୟପାଳ ନିଯୁକ୍ତିକୁ ନେଇ ଏଭଳି ବିରୋଧ ଦେଖିବାକୁ ମିଳିଛି । କିନ୍ତୁ ସେମାନେ ବୁଝିବା ଦରକାର ଯେ ଭାରତ ଏବେ କେଉଁ ପରିବାର ନିୟନ୍ତ୍ରଣରେ ନାହିଁ । ସମ୍ବିଧାନର ନିୟମ ଅନୁଯାୟୀ ରାଜ୍ୟପାଳ ନିଯୁକ୍ତ କରାଯାଇଥିବା ସେ କହିଛନ୍ତି । ସୂଚନା ଯେ, ଗତକାଲି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ୧୩ ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି କରିଥିଲେ ।