କନକ ବ୍ୟୁରୋ : କରୋନା ଟିକା ନେଇଥିବା ଲୋକଙ୍କୁ ମାସ୍କ କି ସାମାଜିକ ଦୂରତା ଜରୁରୀ ନୁହେଁ । ଆମେରିକାର ରୋଗ ନିୟନ୍ତ୍ରଣ କେନ୍ଦ୍ର ସିଡିସି ଏଭଳି ନିର୍ଦ୍ଦେଶନାମା ଜାରି କରିଛି । ବାଇଡେନ ପ୍ରଶାସନ ପକ୍ଷରୁ କୁହାଯାଇଛି, ଯେଉଁ ବ୍ୟକ୍ତି କରୋନାର ଦୁଇଟି ଡୋଜ ନେଇସାରିଛନ୍ତି ସେମାନେ ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ ନିଜର ଗତିବିଧି ଆରମ୍ଭ କରିପାରିବେ ।
ହ୍ବାଇଟ୍ ହାଉସ୍ରେ ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି, ଅଳ୍ପ କିଛି ସମୟ ତଳେ ‘ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ (ସିଡିସି) ଘୋଷଣା କରିଛି ଯେ, ଟିକା ସମ୍ପୂର୍ଣ୍ଣ କରିଥିବା ଲୋକେ ଆଉ ମାସ୍କ୍ ପିନ୍ଧିବା ଅନାବଶ୍ୟକ। ଉଭୟ ଘର ଓ ବାହାର ପାଇଁ ଏହି ପରାମର୍ଶ ପ୍ରଯୁଜ୍ୟ । ମୋ ମତରେ ଏଇଟା ଅତି ଉନ୍ନତ ପରିସ୍ଥିତି । ଆଜି ଦିନଟି ଶୁଭଙ୍କର । ଏତେ ସଂଖ୍ୟକ ଆମେରିକୀୟଙ୍କୁ ଏତେ ଜଲ୍ଦି ଟିକା ଦିଆଯାଇ ପାରିଥିବାରୁ ଏଭଳି ଅସମ୍ଭବ ସଫଳତା ହାସଲ ସମ୍ଭବ ହୋଇଛି ।
ସେ ଆହୁରି ମଧ୍ୟ କହିଛନ୍ତି, ଗତ ୧୧୪ ଦିନ ହେବ ଆମର ଟିକାକରଣ ଅଭିଯାନ ବିଶ୍ବରେ ଅଗ୍ରଣୀ ହୋଇ ରହିଆସିଛି । ଅନେକଙ୍କ କଠିନ ଶ୍ରମ ବଳରେ ଏହି ସଫଳତା ହାସଲ କରାଯାଇଛି । ଯଥା ସମ୍ଭବ ଅଧିକ ଆମେରିକୀୟଙ୍କ ବାହୁରେ ଟିକା ଦେବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିବା ବୈଜ୍ଞାନିକ ଏବଂ ଗବେଷକ, ଔଷଧ କମ୍ପାନି, ନ୍ୟାସ୍ନାଲ୍ ଗାର୍ଡ, ଆମେରିକୀୟ ସେନା, ଏଫ୍ଇଏମ୍ଏ, ଦେଶର ଗଭର୍ଣ୍ଣର୍, ଡାକ୍ତର, ନର୍ସ, ଫାର୍ମାସିଷ୍ଟ୍ ଓ ଅନ୍ୟମାନଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇଛି।
କିନ୍ତୁ, ଯେଉଁମାନେ ଏଯାବତ୍ ଟିକା ନେଇ ନାହାନ୍ତି ବା ଟିକାର ଡୋଜ୍ ସମ୍ପୂର୍ଣ୍ଣ କରି ନାହାନ୍ତି, ସେମାନେ ମାସ୍କ୍ ପରିଧାନ କରିବା ବାଞ୍ଛନୀୟ ବୋଲି ରାଷ୍ଟ୍ରପତି ବାଇଡେନ୍ ସତର୍କ କରାଇ ଦେଇଛନ୍ତି । ଆମେରିକାରେ ବର୍ତମାନସୁଦ୍ଧା ୩ କୋଟି ୩୬ ଲକ୍ଷ ୧୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ପ୍ରାଣ ହରାଇଛନ୍ତି ୫ ଲକ୍ଷ ୯୮ ହଜାରରୁ ଅଧିକ ଲୋକ ।