୪ଶହ ବର୍ଷ ପରେ ବୃହସ୍ପତି ଓ ଶନିର ମହାମିଳନ । ଡିସେମ୍ବର ୨୧ ତାରିଖ ସନ୍ଧ୍ୟାରେ ଘଟିବାକୁ ଯାଉଛି ଏହି ବିରଳ ଘଟଣା

540

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୨୧ ତାରିଖ ସନ୍ଧ୍ୟାରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ଏହି ଦିନ ବୃହଷ୍ପତି ଓ ଶନି ଗ୍ରହ ପରସ୍ପର ଖୁବ ନିକଟତର ଦେଖାଯିବେ । ପ୍ରାୟ ୪୦୦ ବର୍ଷ ପରେ ଏହି ଦୁଇ ଗ୍ରହ ପରସ୍ପର ଅତି ନିକଟତର ହେବାକୁ ଯାଉଛନ୍ତି । ତେଣୁ ଏହା ଅତ୍ୟନ୍ତ ବିରଳ ଘଟଣା । ଶେଷଥର ବୃହଷ୍ପତି ଓ ଶନିର ଏପରି ମହାମିଳନ ୧୬୨୩ ମସିହା ଜୁଲାଇ ୧୬ ତାରିଖରେ ଦିଗବଳୟର ୧୩ ଡିଗ୍ରୀ ଉପରେ ଦେଖିବାକୁ ମିଳିଥିଲା । ହେଲେ ଏହାକୁ ସବୁ ଜାଗାରେ ଦେଖିବା ସମ୍ଭବ ହୋଇନଥିଲା । ତେଣୁ ଶେଷଥର ପାଇଁ ଏପରି ମହାମିଳନ ଦେଖିବା ସମ୍ଭଚ୍ଚ ହୋଇଥିଲା ୧୨୨୬ ମସିହା ମାର୍ଚ୍ଚ ୪ ତାରିଖରେ ।

ତେବେ ଏପରି ଘଟିବାର କଣ ରହିଛି କାରଣ?
ବୃହଷ୍ପତି ସୂର୍ଯ୍ୟକୁ ପରିକ୍ରମା କରିବା ପାଇଁ ୧୧.୮୬ ବର୍ଷ ନେଉଥିବା ବେଳେ ଶନି ୨୯.୪ ବର୍ଷ ନିଏ । ତେଣୁ ପ୍ରତି ୧୯.୮୫ ବର୍ଷରେ ରାତି ଆକାଶରେ ବୃହଷ୍ପତି ଶନିକୁ ଅତିକ୍ରମ କରୁଥିବାର ଦେଖାଯାଏ । ଏହି ମହାମିଳନ ସମୟରେ ଯାହା ଦେଖାଯାଏ ତାହା ହେଉଛି ଧୀର ଗତିଶୀଳ ଶନିକୁ ବୃହସ୍ପତି ଅତିକ୍ରମ କରୁଥିବାର ଘଟଣା ।

ଏବେ ଗ୍ରହ ଦୁଇଟି ସୂର୍ଯ୍ୟସ୍ତ ପରେ ଉତ୍ତର ପଶ୍ଚିମ ଦିଗବଳୟର ଅଳ୍ପ ଉପରେ ଖାଲି ଆଖିରେ ଖୁବ ସୁନ୍ଦର ଭାବରେ ଦେଖାଯାଉଛି । ଆସନ୍ତା ୩ ସପ୍ତାହ ଧରି ପ୍ରତିଦିନ ଏହି ଦୁଇଟି ଗ୍ରହ ମଧ୍ୟରେ ଥିବା ଦୂରତା ଧିରେ ଧିରେ କମିବ । ଏମାନେ ପରସ୍ପର ନିକଟତର ହେବେ । ଡିସେମ୍ବର ୨୧ ତାରିଖରେ ସୂର୍ଯ୍ୟୋଦୟ ହେବାର ଘଣ୍ଟାଏ ପରେ ପଶ୍ଚିମ ଦିଗବଳୟ ଉପରେ ଶନି ଓ ବୃହସ୍ପତି ଏକତ୍ର ଦେଖାଯିବେ । ପରବର୍ତ୍ତି ବୃହସ୍ପତି ଓ ଶନିର ମିଳନ ୨୧ ଡିସେମ୍ବର ୨୦୪୦ରେ ପଡିବ ।