ଓଡ଼ିଶା ମାଟିରେ ଅଙ୍ଗୁର ଚାଷ । ଗୋଟିଏ ଗଛରେ ଫଳୁଛି ୭ରୁ ୮ କିଲୋ ଅଙ୍ଗୁର, ଚାଷ ଦେଖିବାକୁ ଲୋକଙ୍କ ମଧ୍ୟରେ ଭିଡ଼ ।

301

କନକ ବ୍ୟୁରୋ : ପନିପରିବା ଚାଷ ପ୍ରତି ରୁଚି ରଖୁଥିବା ଚାଷୀ ଏବେ ନିଜ ବାଡ଼ିରେ ଫଳାଇଛନ୍ତି ଅଙ୍ଗୁର । ଜଗତସିଂହପୁୁର ପାଟେଣୀଗାଁର ଚାଷୀ ଅକ୍ଷୟ ସ୍ୱାଇଁ ଅଙ୍ଗୁର ଚାଷ କରିଥିବା ଦେଖିବାକୁ ମିଳିଛି । ଓଡ଼ିଶା ଭଳି ମାଟିରେ ବିଶେଷକରି ଅଙ୍ଗୁର ଓ ସେଓ ଚାଷ ବିଶେଷ ଦେଖିବାକୁ ମିଳିନଥାଏ । ତେବେ ଅକ୍ଷୟଙ୍କ ଅଙ୍ଗୁର ଚାଷ ଦେଖିବା ପାଇଁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଜଗତସିଂହପୁୁର ପାଟେଣୀଗାଁର ଚାଷୀ ଅକ୍ଷୟ ସ୍ୱାଇଁ । ଖରିଫ, ରବି ଓ ପନିପରିବା ଚାଷ ପରେ ନିଜ ବାଡ଼ିରେ ଅଙ୍ଗୁର ଚାଷ ଆରମ୍ଭ କରିଛନ୍ତି । ଗଛଗୁଡ଼ିକ ଉତମ ମାନର ହୋଇଥିବା ବେଳେ ଫଳିଛି ପେନ୍ଥା ପେନ୍ଥା ଅଙ୍ଗୁର । ଓଡ଼ିଶା ମାଟିରେ ସେଓ ଓ ଅଙ୍ଗୁର ଚାଷ ସଫଳ ହେଉନଥିବା ବେଳେ ନିଜ ବାଡ଼ିରେ ଏହାକୁ ପରୀକ୍ଷାମୂଳକ ଭାବେ ଚାଷ କରି ବେଶ ସଫଳତା ପାଇଛନ୍ତି । ଗୋଟିଏ ଗୋଟିଏ ଗଛରୁ ୭ରୁ ୮ କିଲୋ ଅଙ୍ଗୁର ଫଳୁଥିବା ବେଳେ ବାଡ଼ିରେ ପ୍ରାୟ ୨୦ଟି ଅଙ୍ଗୁର ଗଛ ଲଗାଇଛନ୍ତି ଅକ୍ଷୟ ସ୍ୱାଇଁ । ସ୍ଥାନୀୟ ବଜାରରେ ଏହାକୁ ବିକ୍ରି କିଛି ଲାଭ ପାଇବାର ଆଶା ରଖିଛନ୍ତି ।

ପ୍ରଥମ ଥର ପାଇଁ ସ୍ଥାନୀୟ ଅଞ୍ଚଳରେ ଅଙ୍ଗୁର ଚାଷ ହୋଇଥିବାରୁ ଲୋକେ ଏହାକୁ ଦେଖିବା ପାଇଁ ଅକ୍ଷୟଙ୍କ ବାଡ଼ିକୁ ଆସୁଛନ୍ତି । ଭଲ ଲାଭ ମିଳିଲେ ଅନ୍ୟ ଚାଷୀ ମାନେ ଏହି ଚାଷ ଆପଣେଇବେ ବୋଲି କହିଛନ୍ତି । ଏହି ଚାଷରେ ଅକ୍ଷୟଙ୍କୁ ସହଯୋଗ କରୁଛନ୍ତି ତାଙ୍କ ସ୍ତ୍ରୀ ପ୍ରଭାସିନୀ । ଗଛରେ ପାଣି ଦେବା ଏବଂ ଗଛ ଗୁଡ଼ିକର ଯତ୍ନ ନେବା ଭଳି କାମରେ ସ୍ୱାମୀଙ୍କ ସହଯୋଗ କରନ୍ତି ପ୍ରଭାସିନୀ । ଅଙ୍ଗୁର ଚାଷ କରି ସଫଳତା ପାଇବା ପରେ ଯୁବ ଚାଷୀ ମାନେ ଏହି ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।