କଟକ ନିଆଳିରେ ଫଳିଲା ମିଠା ଅଙ୍ଗୁର । ଲକଡାଉନରେ ତରବଣ ଗାଁର ବିଜୟଲକ୍ଷ୍ମୀଙ୍କ ନିଆରା ପ୍ରୟାସ । ଘର ଅଗଣାରେ କଲେ ଅଙ୍ଗୁର ଚାଷ ।

336

କନକ ବ୍ୟୁରୋ: ଇଚ୍ଛା ଥିଲେ ଅସମ୍ଭବ ବି ସମ୍ଭବ ହୁଏ । କଟକ ଜିଲ୍ଲା ନିଆଳି ମାଟିରେ ଫଳିଛି ମିଠା ଅଙ୍ଗୁର । ଏହା ଅବାସ୍ତବ ଲାଗୁଥିଲେ  ବି ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା । ଲକଡାଉନ ସମୟରେ ନିଜ ସମୟକୁ ଅପଚୟ ନକରି ନିଜ ଘର ଅଗଣାରେ ଅଙ୍ଗୁର ଗଛ ଲଗାଇ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକ ତରବଣ ଗାଁର ବିଜୟଲକ୍ଷ୍ମୀ ବସ୍ତିଆ ।

କୁହାଯାଏ, ଓଡ଼ିଶା ମାଟିରେ ଭଲ ଅଙ୍ଗୁର ଫଳେନାହିଁ । ହେଲେ ଏହାକୁ ମିଛ ବୋଲି ପ୍ରମାଣ କରିଛନ୍ତି ନିଆଳି ତରବଣ ଗାଁର ବିଜୟଲକ୍ଷ୍ମୀ ବସ୍ତିଆ । ପ୍ରାୟ ବର୍ଷେ ତଳେ ଅଙ୍ଗୁର ଚାରା ଆଣି ନିଜ ଘର ଅଗଣାରେ ଲଗାଇଥିଲେ ବିଜୟଲକ୍ଷ୍ମୀ । ପାଣି, ପିଡିଆ ଦେଇ ବର୍ଷେ କାଳ ଯତ୍ନ ନେଇଥିଲେ ସେ । ଏବେ ତାଙ୍କ ପରିଶ୍ରମର ଫଳ ମିଳିଛି । ଭରା ଗଛରେ ଅଙ୍ଗୁର ପେନ୍ଥା ଦେଖି, କେବଳ ବିଜୟଲକ୍ଷ୍ମୀ ନୁହଁନ୍ତି, ପଡ଼ୋଶୀମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

ବିଜୟଲକ୍ଷ୍ମୀଙ୍କ ଏହି ସଫଳ ପ୍ରୟାସ ପ୍ରମାଣିତ କରିଛି ଯେ ଉପକୂଳ ଓଡ଼ିଶାର ଜଳବାୟୁରେ ମଧ୍ୟ ଅଙ୍ଗୁର ଚାଷ ହୋଇପାରିବ । ସେ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ତାଙ୍କର ସଫଳତା ଦେଖି ଆଖପାଖର ଲୋକ ମଧ୍ୟ ଅଙ୍ଗୁର ଚାଷ ପାଇଁ ମନ ବଳାଇଲେଣି । ଆଗାମୀ ଦିନରେ ସରକାରୀ ପ୍ରୋତ୍ସାହନ ଓ ଆବଶ୍ୟକ କୃଷି ପରାମର୍ଶ ମିଳିପାରିଲେ ବିଜୟଲକ୍ଷ୍ମୀ ପରି ଅନ୍ୟମାନେ ଏହି ଚାଷ କରି ଲାଭବାନ ହୋଇପାରନ୍ତେ ।