ବଡଦାଣ୍ଡ ମନାବୋଲି ଘରେ ଗଢାହେଲା ରଥ । ମାଆ ପାଇଁ ପୁଅ, ନାତି ପାଇଁ ଜେଜେ ଗଢିଦେଲେ ନନ୍ଦିଘୋଷ । ବଡଦାଣ୍ଡ ପରି ମୋ ଦାଣ୍ଡରେ ବି ହେଲା ରଥଯାତ…

153

କନକ ବ୍ୟୁରୋ: ଭୂତାଣୁ ପାଇଁ ଭକ୍ତଙ୍କୁ ବଡଦାଣ୍ଡ ମନା । କଟକଣାର ଗାର ଡେଇଁ ବି କାଳିଆ ପାଖକୁ ଯାଇ ହୁଏନା । ଆଉ ଏତିକି ବେଳେ ପୁରୀ ଯାଇ ରଥ ଟାଣିବାକୁ ଜିଦ ଧରିଲା କୁନି ପୁଅ । ଶ୍ରୀକ୍ଷେତ୍ରରେ ସାଆନ୍ତେଙ୍କୁ ଦେଖିବ ବୋଲି ଗୋଡ କଚାଡି ଅଝଟ କଲା ସାଇ । ମୁଁ ପୁରୀ ଯିବି, ରଥଟାଣିବି… କାଳିଆ ଠାକୁରକୁ ଦେଖିବି… ବାପା ମତେ ନେଇଚାଲ, ଜେଜେ ମୁଁ ଜଗା ପାଖକୁ ଯିବି… କିଛି ଏମିତି ଅଝଟ କରି ଶ୍ରୀକ୍ଷେତ୍ର ଆସିବାକୁ ବାହାରିଥିଲା ସାଇ ।

ଭଗବାନଙ୍କ ପ୍ରେମରେ ବିଭୋର ଅଢେଇ ବର୍ଷ ଶିଶୁର ଅଝଟ ଆଗରେ ଚିନ୍ତାରେ ପଡିଯାଇଥିଲା ପରିବାର । କଟକଣା ପାଇଁ କେମିତି ଯିବେ ପୁରୀ ? ନାତିର ଅଝଟ, ନଟନାଗରକୁ ଦେଖିବାର ଅସମ୍ଭବତା ଭିତରେ ଜେଜେ ବୁଝିଥିଲେ କଅଁଳ ଶିଶୁର ମନକଥା । ଆଉ ପୁରୀ ରଥ ପରି ଘରେ ବି ଟଣାହେବ ରଥ… ଜେଜେଙ୍କ ପଦିଏ କଥା ନାତିକୁ ଦେଇଥିଲା ଆଶ୍ୱସ୍ତି, ମୁହଁରେ ଆଣିଥିଲା ହସ… ବାସ୍ ତାପରେ ଜେଜେ ଗଢିଦେଲେ କୁନି ନାତି ପାଇଁ କୁନି ନନ୍ଦିଘୋଷ ।

କାଳିଆ ପ୍ରେମର ଏମିତି ଏକ କାହାଣୀ ଆସିଛି ସୁନ୍ଦରଗଡ ପତ୍ରାପଡା ଅଞ୍ଚଳରୁ । ଯେଉଁଠି ନାତିର ଜଗା ଦେଖିବାର ଜିଦ୍ ପାଇଁ ଜେଜେ ଗଢିଦେଇଛନ୍ତି ରଥ । ତେବେ ଅଢେଇ ବର୍ଷର ଶିଶୁ ସାଇ ଯେତେବେଳେ ପୁରୀ ଯାଇ ରଥ ଟାଣିବାକୁ ଜିଦ୍ ଧରି ବସିଛି ସେତେବେଳେ ଜେଜେ ନାତି ପାଇଁ ଘରେ ତିଆରି କରିଛନ୍ତି କୁନିରଥ । ଆଉ ରଥ ନିର୍ମାଣ ପରେ ବଡଦାଣ୍ଡ ପରି ଘରଦାଣ୍ଡରେ ବି ଗଡିଛି ରଥ । ଆଉ ଜେଜେ ଜଗାର ରଥ ଟାଣିବାର ଏଡେ ବଡ ସୁଯୋଗଟିଏ କରିଦେଇଥିବାରୁ ଖୁସିରେ ନାଟି ଯାଇଛି ନାତି ।

ସେପଟେ ବାଲେଶ୍ୱରରେ ମାଆ ପାଇଁ ପୁଅ ଗଢିଦେଇଛି ତିନି ରଥ । ଗତଥର କରୋନା ପାଇଁ ପୁରୀ ଯାଇ ପାରିନଥିଲେ ମାଆ । ଆଉ ଏଥର ପୁରୀ ବୁଲେଇ ନେଇ ରଥଦେଖାଇବ ବୋଲି ମାଆକୁ କଥା ଦେଇଥିଲା । ହେଲେ ଏଥର ବି କଟକଣା କିଛି କରିଦେଲାନି । ତେଣୁ ମାଆର ମନ ଦୁଃଖ ଦେଖି ଘରେ ୩ ରଥ ତିଆରି କରିଦେଲା ପୁଅ । କାଠ ନୁହେଁ ବରଂ କାଗଜରେ ପୁରୀ ଭଳି ୩ ରଥର ଅବିକଳ କରିଦେଲେ ପୁଅ ପ୍ରତୀକ । ଆଉ ଘରେ ଶ୍ରୀଜିଉଙ୍କ ରଥ ଦେଖି ଖୁସିରେ ଆତ୍ମହରା ହେଲା ମାଆ । ପୁଅ ପାଇଁ ଯେ ସେ ଆଜି ରଥଟାଣି ପାରିଛି । ଏ କଥା ଭାବି ଖୁସିରେ କାନ୍ଦିପକାଇଛି ମାଆ ।