ଆପାର୍ଟମେଣ୍ଟରୁ ବଡ଼ ଧରଣର ଲୁଟ୍ । ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଚୋର । ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

1,620

କନକ ବ୍ୟୁରୋ: ରାଜଧାନୀରେ ଡର ଲାଗିଲାଣି । ଆପାର୍ଟମେଣ୍ଟରେ ବି ଅସୁରକ୍ଷିତ ମଣିଲେଣି ଲୋକେ । ଭୁବନେଶ୍ୱରର ପାତ୍ରପଡା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ବଡ ଧରଣର ଲୁଟ ହୋଇଛି । ଘରେ କେହି ନଥିବାବେଳେ ମୁଖ୍ୟ ଗେଟକୁ ତାଡି ଆପାର୍ଟମେଣ୍ଟରୁ ଶହେ ଭରିରୁ ଅଧିକ ସୁନା ଗହଣା ଲୁଟ କରିଛନ୍ତି ଲୁଟେରା । ଫଳରେ ଆପାର୍ଟମେଣ୍ଟର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି ।

  • ୧୦୦ ଭରିର ସୁନା ସଫା!
  • ଅସୁରକ୍ଷିତ ଆପାର୍ଟମେଣ୍ଟ!

କେତେ ସୁରକ୍ଷିତ ରାଜଧାନୀ ରାତି? ଏକୁଟିଆ ଘରକୁ ଅସୁରକ୍ଷିତ ଭାବି ଲୋକେ ନେଉଛନ୍ତି ଆପାର୍ଟମେଣ୍ଟ । ହେଲେ ଆପାର୍ଟମେଣ୍ଟରୁ ଯଦି ଚୋରି ହୋଇଯାଏ, ଲୋକେ ସୁରକ୍ଷିତ ରହିବେ କେଉଁଠି? କିଛି ଦିନ ବ୍ୟବଧାନରେ ପୁଣି ଉତ୍ପାତ କରିଛନ୍ତି ଲୁଟେରା । ଏଥର ଲୁଟେରାଙ୍କ ଟାର୍ଗେଟରେ ଚାର୍ଟାର୍ଡ ଆକାଉଣ୍ଟାଟଙ୍କ ଘର । ଭରତପୁର ଥାନା ଅଧୀନ ପାତ୍ରପଡ଼ାର ଶ୍ରୀକ୍ଷେତ୍ର ରେସିଡେନ୍ସି ସି-ବ୍ଲକ୍ ୩୦୨ ଫ୍ଲାଟ୍ରୁ ଲୁଟ୍ । ଘରେ କେହି ନଥିବା ବେଳେ ଫ୍ଲାଟର ମୁଖ୍ୟ ଦ୍ୱାରକୁ ତାଡ଼଼ି ଘରେ ପଶିଥିଲେ ଲୁଟେରା । ବେଡରୁମର କବାଟ ଭାଙ୍ଗିବା ସହ ଆଲମାରି ଭାଙ୍ଗି ସର୍ବସ୍ୱ ଲୁଟି ନେଇଛନ୍ତି । ରାଜେଶ କୁମାର ପାହାଡ଼ିଙ୍କ ଅଭିଯୋଗ ଅନୁସାରେ, ଘର ଭିତରେ ଥିବା ଶହେ ଭରିରୁ ଊଦ୍ଧ୍ୱର୍ ଓଜନର ସୁନାଗହଣା ଲୁଟି ନେଇଛନ୍ତି । ଏହାସହିତ ଲକ୍ଷେ ୩୦ ହଜାର ଟଙ୍କା ଓ ଦାମୀ ଜିନିଷପତ୍ର ନେଇ ଛୁ’ ମାରିଛନ୍ତି ଲୁଟେରା । ସୁରକ୍ଷାବଳୟ ଭିତରେ ଥିବା ଆପାର୍ଟମେଣ୍ଟରେ ଲୁଟେରାମାନେ ଲୁଟ୍ କରିବା ଘଟଣାକୁ ନେଇ ପ୍ରଶ୍ନ ଉଠାଇଲେ ଫ୍ଲାଟ ମାଲିକ ।

  • ଆପାର୍ଟମେଣ୍ଟରୁ ଲୁଟ୍
  • ସନ୍ଦେହ ଘେରରେ ସିକ୍ୟୁରିଟି ଗାର୍ଡ!

ବିବାହ ବେଳେ ବାପ ଘରୁ ଆଣିଥିବା ସୁନା ଗହଣା । ଆଉ ଭବିଷ୍ୟତ ପାଇଁ ସଞ୍ଚିଥିବା ପ୍ରାୟ ୧୦୦ ଭରିରୁ ଅଧିକ ସୁନା ଲୁଟ୍ ହେବା ପରେ ଆପାର୍ଟମେଣ୍ଟରେ କୋକୁଆ ଭୟ । ସ୍ପେଶାଲ ସ୍କ୍ୱାଡ୍, ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସରଜମିନ୍ ତଦନ୍ତ ଆରମ୍ଭ କରିଛି । ଯେମିତି କୌଣସି ସୁରାକ ହାତଛଡ଼ା ନହୁଏ, ସେନେଇ ଆପ୍ରାଣ ଉଦ୍ୟମ କରିଛନ୍ତି । ଏହି ଚୋରି ପଛରେ ସିକ୍ୟୁରିଟି ଗାର୍ଡଙ୍କ ହାତ ରହିଥିବା ଘର ମାଲିକ ସନ୍ଦେହ କରୁଛନ୍ତି । କହୁଛନ୍ତି, ସୁରକ୍ଷା ପାଇଁ ସୋସାଇଟି ଚାର୍ଜ ଠାରୁ ଆରମ୍ଭ କରି ମେଣ୍ଟେନାନ୍ସ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରୁଛୁ । ହେଲେ କିଛି ଘଣ୍ଟା ଘର ଛାଡ଼ିକି ଯିବା ପରେ ଆମେ ସର୍ବସ୍ୱାନ୍ତ ।

  • ଆପାର୍ଟମେଣ୍ଟରେ କେତେ ସୁରକ୍ଷିତ ଅନ୍ତେବାସୀ?
  • ସୁରକ୍ଷାକର୍ମୀ ଥିବା ସତ୍ତେ୍ୱ କେମିତି ହେଉଛି ଲୁଟ୍?
  • ଖାଲି ଘର ବାବଦରେ କିଏ ଦେଉଛି ଲୁଟେରାଙ୍କୁ ତଥ୍ୟ?
  • ଲୁଟେରାଙ୍କ ସହିତ ରହୁଛି କି ସୁରକ୍ଷାକର୍ମୀଙ୍କ ସମ୍ପର୍କ?