ଟଙ୍କା ଲୋଭରେ ସୈତାନ ସାଜିଲା ନାତି । ଆକ୍ରମଣ କରି ଜେଜେର ନେଲା ପ୍ରାଣ, ଗୁରୁତର ଅବସ୍ଥାରେ ଜେଜେମା ମେଡିକାଲରେ ଭର୍ତ୍ତି ।

Advertisment
ଟଙ୍କା ଲୋଭରେ ସୈତାନ ସାଜିଲା ନାତି । ଆକ୍ରମଣ କରି ଜେଜେର ନେଲା ପ୍ରାଣ, ଗୁରୁତର ଅବସ୍ଥାରେ ଜେଜେମା ମେଡିକାଲରେ ଭର୍ତ୍ତି ।

କନକ ବ୍ୟୁରୋ: ଟଙ୍କା ଲୋଭରେ ସଇତାନ ସାଜିଲା ନାତି । ଜେଜେ, ଜେଜେମାଙ୍କୁ ନାତିର ମରଣାନ୍ତକ ଆକ୍ରମଣ । ନାତି ଆକ୍ରମଣରେ ଜେଜେ ମୃତ, ଜେଜେମା ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ନପୁର ଗାଁର ଏହି ଘଟଣା ସମଗ୍ର ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଘଟଣାରେ ଅଭିଯୁକ୍ତ ଓଁଙ୍କାର ମୁଦୁଲିକୁ ଗିରଫ କରିଛି ନେମାଳ ପୋଲିସ । ଅଭିଯୁକ୍ତ ଓଙ୍କାର ମୁଦୁଲିର ବୟସ ୧୯ ବର୍ଷ ।

ତେବେ ସୂଚନା ଅନୁସାରେ ଜେଜେ, ଜେଜେମାଙ୍କ ଘରେ ଚୋରୀ କରିବାର ବେଶ କିଛି ଦିନ ଧରି ଯୋଜନା କରୁଥିଲା ଅଭିଯୁକ୍ତ ଓଁଙ୍କାର । ଗତ ଗୁରୁବାର ରାତିରେ ନିଜ ଘରେ ରାତ୍ରି ଭୋଜନ କରି ଜେଜେ, ଜେଜେମାଙ୍କ ଘରକୁ ଶୋଇବାକୁ ଯାଇଥିଲା ଓଁଙ୍କାର । ଅଧରାତିରେ ଆଲମିରା ଖୋଲି ଟଙ୍କା ଓ ସୁନା ଗହଣା ଲୁଟିବାକୁ ଉଦ୍ୟମ କରିଥିଲା ନାତି ଓଙ୍କାର । ଏହି ସମୟରେ ଜେଜେ ହୃଷିକେଶଙ୍କ ନିଦ ଭାଙ୍ଗିଯାଇଥିଲା ଓ ସେ ନିଜ ନାତିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ପାଖରେ ରଖିଥିବା କଟୁରୀ ଓ ଦାଆ ସାହାଯ୍ୟରେ ଜେଜେଙ୍କୁ ଆକ୍ରମଣ କରିଥିଲା । କେବଳ ସେତିକି ନୁହେଁ ଜେଜେମାକୁ ବି ମାରିବାକୁ ପଛାଇ ନଥିଲା ସଇତାନ । ଏହାପରେ ପ୍ରମାଣ ନଷ୍ଟ କରିବାକୁ ଘରେ ଥିବା ଶୀତବସ୍ତ୍ର କମଳ, ଚାଦର ଆଦିକୁ ପୋଡି ଦେଇଥିଲା ନାତି ।

ପରଦିନ ସକାଳୁ ଗାଁ ଲୋକଙ୍କ ଆଗରେ ମନଗଢା କାହାଣୀ କହିଥିଲା । କିଛି ଦୁର୍ବୃତ୍ତ ମୁହଁରେ କଳା କପଡା ବାନ୍ଧି ତାଙ୍କ ଘରେ ଆକ୍ରମଣ କରିଥିବା କଥା କହିଥିଲା । ପୋଲିସକୁ ଏନେଇ ସନ୍ଦେହ ହେବାକୁ ସେ ଓଁଙ୍କାରକୁ ଉଠାଇ ଆଣି ପଚରା ଉଚରା କରିଥିଲା । ଆଉ ପୋଲିସ ଜେରାରେ ଆକ୍ରମଣ କଥା ସ୍ୱିକାର କରିଥିଲା ଅଭିଯୁକ୍ତ । କେବଳ ସେତିକି ନୁହେଁ ଜେଜେଙ୍କ ଘରୁ ଓଁଙ୍କାର ଚୋରୀ କରିଥିବା ଗହଣା ଟଙ୍କାକୁ ବି ଜବତ କରିଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe