କନକ ବ୍ୟୁରୋ : କାଠ ଚୁଲିରେ ଚାଲିଛି ଜେଜେମା’ଙ୍କ ରୋଷେଇ । କେତେବେଳେ ଶାଗ ଭଜା ତ ପୁଣି କେତେବେଳେ ଚୁନାମାଛ ତରକାରୀ । ଆମିଷ ହୋଉ ବା ନିରାମିଷ । ପିଠାପଣା ହେଉ ଅବା ମାଛ ବେସର ସବୁ କମ ତେଲ ମସଲାରେ ପ୍ରସ୍ତୁତ ହେଉଛି । ଏଭଳି ସ୍ୱାଦିଷ୍ଟ ଖାଦ୍ୟ ରୋଷେଇ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିିଛନ୍ତି ଯାଜପୁର ଦାନଗଦି ବ୍ଲକ ଅନ୍ତର୍ଗତ ଦେଉଳକଣ ଗାଁର କୋକିଳ ନାୟକ । ଗୋଡ଼ହାତ ଥରିଲାଣି । ଆଖିକୁ ବି ଆଉ ଭଲରେ ଦେଖା ଯାଉନି । ଚମ ଧୁଡୁଧୁଡୁ ହେଲାଣି । ବୟସ ଆସି ୮୪ରେ ପହଂଚିଲାଣି । ଆଉ ଅଂଟା ସଳଖୀ ଠିଆ ହୋଇ ପାରୁନାହାନ୍ତି । ତଥାପି ରୋଷେଇ କରିବାର ନିଶା ଆଗରେ ସବୁକିଛି ହାର ମାନିଛି । ବାଡିବଗିଚାରୁ ପନିପରିବା ତୋଳିଆଣି ନିଜେ ନିଜେ ଏ ବୟସରେ ଶିଳରେ ବେସର ବାଟି ରୋଷେଇ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ରୋଷେଇ ପାଇଁ କୋକିଳ ଜେଜେମା ଏବେ ୟୁଟ୍ୟୁବ ଚ୍ୟାନେଲରେ ଜେଜେମା ହାଣ୍ଡିଶାଳ ମାଧ୍ୟମରେ ଗୃହିଣୀ ମାନଙ୍କ ହୃଦୟରେ ଘର କରି ସାରିଲେଣି । ଜେଜେମା’ଙ୍କର ଏହି ଚ୍ୟାନେଲ ୨ ବର୍ଷ ଭିତରେ ୩୬ ହଜାର ସବସ୍କ୍ରାଇବର ହେଲେଣି ।

Advertisment

ଜେଜେମା’ ରୋଷେଇ ଶାଳରେ ବସି ପୁରୁଣା କାଳର ବିଭିନ୍ନ ପ୍ରକାର ରୋଷେଇ ଯେମିତିକି ସଜନା ସାଗ ମୁଗଜାଇ ଖରଡ଼ା, ସାରୁ କାହାଳି, ବୋଇତାଳୁ ଡଙ୍ଗ ରାଇ, ଛତୁ ପତ୍ରପୋଡ଼ା, ଚୁନାମାଛ ପତ୍ରପୋଡ଼ା ଭଳି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ନାତି ନାତୁଣି ରୋଷେଇର ଟିକନିକ୍ ଭିଡ଼ିଓ କରି ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରନ୍ତି । ଫଳରେ ଭଲ ଦି ପଇସା ରୋଜଗାର ମଧ୍ୟ ହେଉଛି । ଯାହାକୁ ନେଇ ଜେଜେମା ଏବେ ବହୁତ ଖୁସି ।

ଯୁଗ ବଦଳିବା ସଙ୍ଗେ ସଙ୍ଗେ ଆମ ଜୀବନ ଶୈଳୀ ଓ ଖାଦ୍ୟ ପ୍ରଣାଳୀର ମଧ୍ୟ ପରିବର୍ତନ ଘଟିଛି । ଆଉ ହାଣ୍ଡିଶାଳରେ ଦେଖିବାକୁ ମିଳୁନି ଚୁଲିରେ ଶାଗ ଖରଡା, ବାଇଗଣ ପୋଡା ଓ ଯାଇ ରଗଡାର ଦୃଶ୍ୟ । ଖଇଚଲା, ଡାଲିଘୋଟା ଓ ଶିଳରେ ମସଲା ବଟା ସତେ ଯେମିତି ହଜିଗଲାଣି । ଆମ ସଂସ୍କୃତି ପରମ୍ପରାକୁ ଆମେ ଧୀରେ ଧୀରେ ଭୁଲି ଯିବାକୁ ବସିଲେଣି । ହେଲେ ଜେଜେମା ହାଣ୍ଡିଶାଳରେ ଜେଜେମା ସବୁ ସାଇତି ରଖିଛନ୍ତି ।