ବିଏ ପାସ ପରେ ଚାକିରି ନମିଳିବାରୁ କରୁଛନ୍ତି ମେସିନ୍ ମରାମତି । ଭଲ କାମ କରୁଥିବାରୁ ଦୂରଦୂରାନ୍ତରରୁ ଆସୁଛନ୍ତି ଲୋକେ

117

କନକ ବ୍ୟୁରୋ : ବାଲେଶ୍ୱର ବସ୍ତା ବ୍ଲକ ନାରାୟଣପୁର ଗାଁର ପୂର୍ଣ୍ଣଚନ୍ଦ୍ର ସେଠୀ । ଜଣେ ଗ୍ରାଜୁଏଟ ଛାତ୍ର । ପାଠପଢା ପରେ ଚାକିରି ନମିଳିବାରୁ ଟେଲର ମେସିନ ମରାମତି କାମକୁ ଆପଣେଇଛନ୍ତି । ଏହି ଅଂଚଳର ଅଧିକାଂଶ ଲୋକଙ୍କ ରୋଜଗାରର ମାଧ୍ୟମ କହିଲେ ଶାଳ ପତ୍ର ସିଲେଇ କରି ଖଲି ପ୍ରସ୍ତୁତ କରିବା ।

ଏହି ବ୍ଲକର ପାଖାପାଖି ୪୦ ପ୍ରତିଶତ ଲୋକ ସିଲେଇ ମେସିନ ସାହାଯ୍ୟରେ ପତ୍ର ସିଲେଇ କରନ୍ତି । ଲୋକଙ୍କ ଏହି ପତ୍ର ସିଲେଇ ମେସିନ ଖରାପ ହେଉଥିବାରୁ ଏହାକୁ ମରାମତି କରିବା ପାଇଁ ଲୋକେ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ତେଣୁ ସିଲେଇ ମେସିନରୁ କିପରି ରୋଜଗାର କରିହେବ ଭାବି ନିଜେ ଗୋଟିଏ ସିଲେଇ ମେସିନ ଆଣି ପତର ସିଲେଇ କରିବା ସହିତ ଏହାର ମରାମତି କରିବା ଆରମ୍ଭ କରିଥିଲେ । ସବୁଠାରୁ ବଡକଥା ହେଉଛି ଏଥିପାଇଁ ସେ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି । ନିଜ ମେସିନକୁ ଖୋଲିବା ସହିତ ନିଜେ ମରାମତି କରୁଥିଲେ । ସେଥିରୁ ସଫଳ ହେବା ପରେ ଅମର୍ଦା ରୋଡ ରେଳବାଇ ଗେଟ ପାଖରେ ଏକ କେବିନ ପକାଇ ମରାମତି କାମ ଆରମ୍ଭ କଲେ । ଆସ୍ତେ ଆସ୍ତେ ତାଙ୍କ ନିକଟକୁ ଲୋକେ ମେସିନ ମରାମତି କରିବାକୁ ଆସିଲେ । ଭଲ ମରାମତି କରୁଥିବାରୁ ବହୁ ଦୁର ଦୁରାନ୍ତରୁ ଲୋକେ ତାଙ୍କ ପାଖକୁ ମେସିନ ମରାମତି କରିବାକୁ ଆସୁଛନ୍ତି । ଦୈ÷ନିକ ସେ ୧୫ ରୁ ୨୦ଟି ମେସିନ ମରାମତି କରିଥାନ୍ତି । ଏଥିରୁ ତାଙ୍କୁ ମାସକୁ ୧୨ ହଜାରରୁ ୧୫ ହଜାର ଟଙ୍କା ରୋଜଗାର ମିଳିଯାଉଛି । ଟେଲର ମେସିନ ମରାମତି କାମ କରି ନିଜ ପରିବାର ଚଳାଇବା ସହିତ ପୁଅ-ଝିଅଙ୍କୁ ଉଚ୍ଚ ଶିକ୍ଷିତ କରାଇପାରିଛନ୍ତି ।

ପୁର୍ଣ୍ଣଚନ୍ଦ୍ର ପ୍ରତ୍ୟେକ ଦିନ ସକାଳ ୬ଟାରୁ ଦୋକାନ ଖୋଲି ୨ଟାରେ ବନ୍ଦ କରିଥାନ୍ତି । ତାଙ୍କ ଦୋକାନକୁ ଅମର୍ଦାରୋଡ ସମେତ ବସ୍ତା, ପାଉଁଶକୁଲି, ରୁପସା, ହଳଦୀପଦା, ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ଚିତ୍ରଡା, ମୋରଡା ପ୍ରଭୃତି ସ୍ଥାନରୁ ଲୋକେ ଆସି ମେସିନ ମରାମତି କରନ୍ତି । ଭୋର ୪ଟାରୁ ଗ୍ରାହକ ମାନେ ଆସି ପୁର୍ଣ୍ଣଚନ୍ଦ୍ରଙ୍କୁ ଅପେକ୍ଷା କରିଥାନ୍ତି । ଅନ୍ୟ ମିସ୍ତ୍ରୀ ମାନଙ୍କ ଅପେକ୍ଷା ଭଲ କାମ କରୁଥିବାରୁ ସ୍ଥାନୀୟ ଅଂଚଳରେ ବେଶ ପରିଚିତ ।

ଚାକିରି ନମିଳିଲେ ଭାଙ୍ଗିନପଡି ନିଜ ଉଦ୍ୟମରେ କିଛି କରିବା ପାଇଁ ଚେଷ୍ଟା କଲେ ପୁର୍ଣ୍ଣଚନ୍ଦ୍ରଙ୍କ ଭଳି ସଫଲତା ନିଶ୍ଚୟ ମିଳିବ ।