ସରକାରଙ୍କ ପିଆଜ ମିଶନ ଭେଳିକି । ଗୋଦାମରେ ବୁଲୁଛନ୍ତି ଗୋରୁଗାଈ, ପିଆଜ ବଦଳରେ ଝୁଲୁଛି ଅଖା । 

400

କନକ ବ୍ୟୁରୋ : ସାରା ଦେଶରେ ଏବେ ପିଆଜ ସଙ୍କଟ । ରାତି ପାହିଲେ ହୁ ହୁ ହୋଇ ବଢୁଛି ପିଆଜ ଦର । ଆଉ ପିଆଜ ଦର ଶୁଣିବା କ୍ଷଣି ଏବେ ଆପଣାଛାଏଁ ଆଖିରେ ପାଣି ଆସି ଯାଉଛି । ମାସକ ତଳେ ୨୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଦର ଏବେ ୭୦ ପାର କଲାଣି ।  ଆଉ ଏସବୁ ଭିତରେ ପିଆଜର ଦର ବୃଦ୍ଧି ଏବେ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।  ଏପରିକି ପିଆଜର ଦର ବୃଦ୍ଧି ପାଇଁ ଏବେ ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ବିରୋଧୀ । ସରକାରଙ୍କ ପିଆଜ ମିଶନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

ଫେଲ ମାରିଛି ରାଜ୍ୟ ସରକାରଙ୍କ ପିଆଜ ମିଶନ । ପିଆଜ ଅମଳ ହେଉଥିବା ଜିଲ୍ଲାରେ ଏବେ ପିଆଜ ସଙ୍କଟ । ଆଉ ଏହା ପଛର ସବୁଠୁ ବଡ କାରଣ ହେଉଛି ସରକାରଙ୍କ ଉଦାସୀନତା । ଗତ କିଛି ବର୍ଷ ହେବ ରାଜ୍ୟରେ ପିଆଜ ସଙ୍କଟ ଦେଖାଦେଇଥିବାବେଳେ ୨୦୧୫ରେ ପିଆଜ ମିଶନ ଆରମ୍ଭ କରିଥିଲେ ରାଜ୍ୟ ସରକାର । ଲକ୍ଷ୍ୟ ଥିଲା ଅଭାବୀ ବିକ୍ରି ଦୂର କରିବା ସହ ପିଆଜ ସଂରକ୍ଷଣ କରି ରଖିବା । ଆଉ ଏଥିପାଇଁ ପିଆଜ ଅମଳ ହେଉଥିବା ଜିଲ୍ଲା ଗୁଡିକରେ ପିଆଜ ସଂରକ୍ଷଣ ପାଇଁ ଗୋଦାମ ଖୋଲିଥିଲେ ସରକାର । କିନ୍ତୁ ଏବେ ଏହି ଗୋଦାମରେ ଗାଇ ଗୋରୁ ବୁଲିବା ସହ କେବଳ ଅଖା ଝୁଲୁଛି । ଯାହା ସରକାରଙ୍କ ପିଆଜ ମିଶନର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ।

ଦୁଇ ଚାରିମାସ ପୂର୍ବରୁ ପିଆଜ କିଲୋ ପିଛା ୩ଟଙ୍କାରେ ଚାଷୀ ବିକ୍ରି କରୁଥିବା ବେଳେ ଏବେ ୭୦ରୁ ଅଧିକ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି । ପିଆଜ ସଂରକ୍ଷଣ ପାଇଁ ରାଜ୍ୟ ସରକାର ଚାଷୀଙ୍କ ପାଇଁ ସେଭଳି ଖାସ୍ ବ୍ୟବସ୍ଥା କରିନଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ପଡୋଶୀ ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ବ୍ୟବସାୟୀ । ଓଡ଼ିଶା ଚାଷୀଙ୍କ ଠାରୁ ଏହି ବ୍ୟବସାୟୀ ମାନେ ଶସ୍ତାରେ ପିଆଜ କିଣି ନେଉଥିବା ବେଳେ ପିଆଜ ସଙ୍କଟ ସମୟରେ ଚଢା ଦରରେ ବିକ୍ରି କରୁଛନ୍ତି । ତେବେ ବିଭାଗୀୟ ମନ୍ତ୍ରୀ ବାରମ୍ବାର ନାସିକରେ ବନ୍ୟାସ୍ଥିତି ଏବଂ ପିଆଜ ଉତ୍ପାଦନ ହ୍ରାସ ହିଁ ପିଆଜ ଦର ବୃଦ୍ଧିର ମୁଖ୍ୟ କାରଣ ବୋଲି କହି ଚାଲିଛନ୍ତି ।