ଏମିତି ଧରାପଡିବେ ଦଲାଲ । ସରକାରଙ୍କ ନିଷ୍ପତି, ଆରଟିଓ ଅଫିସର ହାତରେ ବାନ୍ଧିବେ ସ୍ୱତନ୍ତ୍ର ବ୍ୟାଣ୍ଡ, ଦଲାଲ ପଶିଲେ ଥାନାରେ ଦିଆଯିବ ଏତଲା ।

Advertisment
ପ୍ରାଇମ ଟାଇମ ବୁଲେଟିନ : ୨୮/୦୯/୨୦୧୯

କନକ ବ୍ୟୁରୋ : ଅସଲ କର୍ମଚାରୀ କିଏ ଚିହ୍ନିବ ବ୍ୟାଣ୍ଡ । ଆରଟିଓ କାର୍ଯ୍ୟାଳୟରେ ଦଲାଲ ଗିରଫ ହେବା ପରେ ଆରଟିଓ ଅଫିସକୁ ଦଲାଲ ମୁକ୍ତ କରିବା ପାଇଁ ପରିବହନ ବିଭାଗର କଡା ନିର୍ଦ୍ଦେଶ । ସବୁ ଆରଟିଓ କାର୍ଯ୍ୟାଳୟର କର୍ମଚାରୀମାନେ ଏଣିକି ପିନ୍ଧିବେ ହାତରେ ବ୍ୟାଣ୍ଡ । ଆରଟିଓ ଅଫିସରେ କାମ କରୁଥିବା ସରକାରୀ କର୍ମଚାରୀମାନେ ପିନ୍ଧିବେ ନୀଳ ରଂଗର ବ୍ୟାଣ୍ଡ । ଆଉ ସର୍ଭିସ ପ୍ରୋଭାଇଡର ମାନେ ସବୁଜ ରଂଗର ବ୍ୟାଣ୍ଡ ପିନ୍ଧିବେ । ଏହା ସହ ସ୍ମାର୍ଟ କର୍ମଚାରୀମାନେ ପିନ୍ଧିବେ ହଳଦିଆ ବ୍ୟାଣ୍ଡ । ଏହା ସହିତ ଆରଟିଓ ଅଫିସରେ ଫି ଚାଟର ବଡ ବୋର୍ଡ ଲଗାଯିବ ।

ଦଲାଲଙ୍କ ପ୍ରାର୍ଦୁଭାବ ରୋକିବା ପାଇଁ ଟୋଲ ଫି ନମ୍ବର ଜାରି କରିଛି ପରିବହନ ବିଭାଗ । ଏଥିସହିତ ସମସ୍ତ ଆରଟିଓ ଅଫିସ୍‌ରେ କିଓସ୍କ ମେସିନ୍‌ ଓ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ଆରଟିଓ ଚାହିଁଲେ ଛାତ୍ର ସ୍ୱେଚ୍ଛାସେବୀଙ୍କୁ ଜନସେବାରେ ଲଗାଇ ପାରିବେ। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ହେଲପ ଲାଇନ ନମ୍ବର ଜାରି କରାଯାଇଛି। ହେଲପ୍‌ ଡେସ୍କ ନମ୍ବର-୧୮୦୦ ୩୪୫ ୧୦୭୩ରେ ଅଭିଯୋଗ ଗ୍ରହଣ କରାଯିବ। ଆରଟିଓ ଅଫିସ୍‌ ପରିସରରେ ଥିବା ଅସ୍ଥାୟୀ କ୍ୟାବିନ୍‌ ବା ଘର ଉଚ୍ଛେଦ କରାଯିବାକୁ ଏବଂ କର୍ମଚାରୀଙ୍କ ପାଇଁ ବିଭିନ୍ନ ରଙ୍ଗର ପରିଚୟ ପତ୍ର ବାଧ୍ୟତାମୂଳକ କରିବାକୁ ନିର୍ଦେଶ ଦିଆଯାଇଛି।

ସେପଟେ ଦୁଇ ଦିନ ଧରି ବିଭିନ୍ନ ଆରଟିଓ ଅଫିସରେ ଏକାଧିକ ଦଲାଲଙ୍କୁ ଧରାଯିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କଡା କଥା କହିଛନ୍ତି । କହିଛନ୍ତି ଦଲାଲଙ୍କ ଜରିଆରେ ଧରା ହେବେ ଆରଟିଓ ଅଫିସର ଅଧିକାରୀ ଓ କର୍ମଚାରୀ । ଅଭ୍ୟାସଗତ ଲାଞ୍ଚୁଆଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ତେବେ ମଦ୍ୟପଙ୍କୁ ନେଇ ନୂଆ ମୋଟର ଯାନ ଆଇନରେ ଥିବା ନିୟମକୁ କୋହଳ କରାଯିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହା ସହିତ ଅନ୍ୟ ରାଜ୍ୟ ଟ୍ରାଫିକ୍ ଜୋରିମାନା କମାଉଥିବା ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି । ଏବଂ ତର୍ଜମାନ ପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଜୋରିମାନା କୋହଳ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe