ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ ପାଇଁ କଡାକଡି ହେଲା ସର୍ଭିଲାନ୍ସ: ମାର୍ଚ୍ଚ ୨୫ ପରଠୁ ବଙ୍ଗ ଫେରନ୍ତାଙ୍କ ଚାଲିଛି ଫୋନ୍ ଟ୍ରାକିଂ; ଏପର୍ଯ୍ୟନ୍ତ ୨୯ ଶହ ଲୋକଙ୍କୁ ଠାବ କରାଯାଇଥିବା ସୂଚନା

984

କନକ ବ୍ୟୁରୋ: ବଙ୍ଗ ଫେରନ୍ତାଙ୍କ ଉପରେ କଡାକଡି ହେଲା ସର୍ଭିଲାନ୍ସ । ପଂଚାୟତ ପ୍ରତିନିଧିଙ୍କଠାରୁ ତଥ୍ୟ ନେବା ସହ ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର ।

ମିଳିଥିବା ସୂଚନା ଅନୁସାରେ ମାର୍ଚ୍ଚ ୨୫ ପରେ ପଶ୍ଚିମବଙ୍ଗରୁ ଓଡିଶା ଚାଲିଆସିଥିବା ଲୋକଙ୍କୁ ଠାବ କରିବା ପାଇଁ ସେମାନଙ୍କ ଫୋନ ଟ୍ରାକିଂ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ରାଜ୍ୟ ସରକାର ଫୋନ୍ ଟ୍ରାକିଂ କରି ୨ ହଜାର ୯ ଶହ ଜଣଙ୍କୁ ଠାବ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏମାନଙ୍କୁ ୧୪ ଦିନ ପାଇଁ କ୍ୱାରେଂଟିନରେ ରଖାଯିବ । ଓଡିଶା ସୀମା ଦେଇ ପଶ୍ଚିମବଙ୍ଗରୁ ପ୍ରାୟ ୩୩ ଜଣ ଚାଲିଆସିବା ଓ କେତେକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି ।

କେବଳ ନୂଆପଡାକୁ ଛାଡି ପଶ୍ଚିମବଙ୍ଗ ଫେରନ୍ତା ରାଜ୍ୟର ୨୯ଟି ଜିଲ୍ଲାକୁ ଆସିଥିବା ସୂଚନା ରହିଛି । ଏହାରି ଭିତରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ପଶ୍ଚିମବଙ୍ଗ ଫେରାନ୍ତାଙ୍କୁ ଠାବ କରି ସେମାନଙ୍କ ନମୁନା ପରୀକ୍ଷା କରିବା ସହ ସଂଗରୋଧରେ ରଖିବାକୁ କୁହାଯାଇଛି ।