କନକ ବ୍ୟୁରୋ : ଲୋକସଭାରେ ଆଜି ଆଗତ ହୋଇପାରେ ଟ୍ରିପଲ ତଲାକ ବିଧେୟକ । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ତିନି ତଲାକ ବିଲକୁ ଲୋକସଭାରେ ଉପସ୍ଥାପିତ କରିବେ । ତେଣୁ ଏହି ବିବାଦୀୟ ବିଧେୟକକୁ ନେଇ ଆଜି ଲୋକସଭାରେ ହଙ୍ଗାମା ହୋଇପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୧୭ତମ ଲୋକସଭାର ପ୍ରଥମ ଅଧିବେଶନର ଏହା ହେବ ପ୍ରଥମ ବିଧେୟକ । ଲୋକସଭାର କାର୍ଯ୍ୟବାହୀ ସୂଚୀ ଅନୁସାରେ ‘ମୁସଲିମ ମହିଳା ବିବାହ ଅଧିକାର ସଂରକ୍ଷଣ-୨୦୧୯’ ଉପସ୍ଥାପିତ କରାଯିବ । ଏହା ଗତ ଫେବୃୟାରୀ ୨୦୧୯ରେ ଜାରି କରାଯାଇଥିବା ବିଲର ସ୍ଥାନ ନେବ ।

Advertisment

ଗତ ମାସରେ ୧୬ତମ ଲୋକସଭାର କାର୍ଯ୍ୟକାଳ ଶେଷ ହୋଇଥିବାରୁ ରାଜ୍ୟସଭାରେ ଅଟକି ରହିଥିବା ତିନି ତଲାକ ବିଲ୍ ନିଷ୍ପ୍ରଭ ହୋଇଛି । କାରଣ ଲୋକସଭାରୁ ପାରିତ ହୋଇ ରାଜ୍ୟସଭାରେ କୌଣସି ବିଲ୍ ଲମ୍ବିତ ରହିଥିବା ସ୍ଥିତିରେ ଲୋକସଭା ଭଙ୍ଗ ହେଲେ ସେହି ବିଲ ନିଷ୍ପଭ୍ର ହୋଇଯାଏ । ମୋଦି ସରକାର ସେପ୍ଟେମ୍ବର-୨୦୧୮ ଓ ଫେବୃୟାରୀ ୨୦୧୯ରେ ତିନି ତଲାକ ବିଲକୁ ନେଇ ଅଧ୍ୟାଦେଶ ଜାରି କରିଥିଲେ । ଟ୍ରିପଲ ତଲାକ ବିଲ ପାଇଁ ସରକାରଙ୍କୁ ସମର୍ଥନ ମିଳୁଥିବା ବେଳେ ବିରୋଧ ମଧ୍ୟ ଦେଖିବାକୁ ମିଳିଛି । ‘ମୁସଲିମ ମହିଳା ବିବାହ ଅଧିକାର ସଂରକ୍ଷଣ ଅଧ୍ୟାଦେଶ-୨୦୧୯’ ଅନୁସାରେ ତିନି ତଲାକ ଅବୈଧ୍ୟ, ଏଥିପାଇଁ ସ୍ୱାମୀଙ୍କୁ ତିନି ମାସ ଜେଲ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଅନ୍ୟପଟେ ତିନି ତଲାକ ଓ ନିକାହ ହଲାଲ ବିରୋଧରେ ଆଇନ ଆଣିବା ସରିୟତ ବିରୋଧୀ କହି ବିଭିନ୍ନ ମୁସଲିମ ସଂଗଠନ ଓ ମୁସଲିମ ନେତା ବିରୋଧ କରୁଛନ୍ତି ।