ଭଡାଟିଆ ଏବଂ ଘର ମାଲିକଙ୍କ ପାଇଁ ସରକାରୀ ଆଇନ୍ ! ଏଣିକି ଆଉ ଚଳିବନି ଘର ମାଲିକଙ୍କ ମନମାନି: ଭଡାଟିଆଙ୍କୁ ଘରୁ ତଡିଲେ ଏବେ ସିଧା ନିଆଯିବ କାର୍ଯ୍ୟାନୁଷ୍ଠାନ

୨୪ ଘଂଟା ପୂର୍ବରୁ ଦେବାକୁ ପଡିବ ଲିଖିତ ନୋଟିସ୍, ୨ ମାସରୁ ଅଧିକ ସିକ୍ୟୁରିଟ୍ ଚାର୍ଜ ମାଗିପାରିବେନି ମାଲିକ

9,025

କନକ ବ୍ୟୁରୋ: ଖୁବ ଶୀଘ୍ର ଦେଶବ୍ୟାପୀ ଲାଗୁ ହେବ ମଡେଲ ଟେନାନ୍ସି ଆକ୍ଟ ତଥା ଆଦର୍ଶ ଭଡା ଆଇନ । ତେବେ ବର୍ତ୍ତମାନ ସମୟରେ ଉଭୟ ଭଡା ଘର ଏବଂ ଦୋକାନକୁ ନେଇ ସେଭଳି କୌଣସି ନିୟମ କାନୁନ ନଥିବା ବେଳେ ଏହି ଆଇନ ଆସିବା ପରେ ଘର ମାଲିକଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ଆଶା ରଖିଛନ୍ତି ସରକାର । ଏନେଇ କେନ୍ଦ୍ର ଗୃହ ଓ ସହରାଂଚଳ ବ୍ୟାପାର ସଚିବ ଦୁର୍ଗା ଶଙ୍କର ମିଶ୍ରଙ୍କ କହିବାନୁସାରେ, ୨୦୧୧ର ଜନଗଣନା ଅନୁସାରେ, ଦେଶରେ ପ୍ରାୟ ୧.୧ କୋଟି ଘର ଖାଲି ପଡିଛି । ଯାହାର ମୁଖ୍ୟ କାରଣ ହେଉଛି ଲୋକେ ଘର ଭଡା ଦେବାକୁ କୁଣ୍ଠାବୋଧ କରୁଛନ୍ତି । ତେବେ ଏହି ଆଇନ ଆସିବା ଦ୍ୱାରା ଘର ଭଡାକୁ ନେଇ ଏବେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବ ନାହିଁ ବୋଲି ଶ୍ରୀମିଶ୍ର  କହିଛନ୍ତି । ତେବେ ସରକାରଙ୍କ ଏହି ନୂଆ ଆଇନରେ କଣ ସବୁ ନୀତି ନିୟମ ରହିଛି ଆସନ୍ତୁ ଜାଣିବା ।

ମଡେଲ ଟେନାନ୍ସି ଆକ୍ଟ ଅନୁସାରେ, ଏଣିକି ଭଡାଟିଆଙ୍କୁ ରେଂଟ ଏଗ୍ରିମେଂଟର ଧାର୍ଯ୍ୟ ସମୟ ର୍ପୂବରୁ ବାହାର କରିପାରିବେ ନାହିଁ  ଘରମାଲିକ । ତେବେ ଯଦି କୌଣସି ଭଡାଟିଆ ଦୁଇ ମାସ ଯାଏଁ ଭଡା ଦେଇ ନଥିବେ କିମ୍ବା ଭଡାରେ ନେଇଥିବା ଘରକୁ ସେ ଖାରାପ କାମରେ ନିୟୋଜିତ କରିଥିବେ ତେବେ ଏଭଳି ପରିସ୍ଥିତିରେ ଘରମାଲିକ ଭଡାଟିଆଙ୍କୁ ନିଜ ଘରୁ ବାହାର କରିପାରିବେ । ସେପଟେ ଭଡାଟିଆଙ୍କ ସୁବିଧାକୁ ମଧ୍ୟ ସରକାରଙ୍କ ଏହି ନୂଆ ନିୟମରେ ଉଲ୍ଲେଖ କରାଯାଇଛି । ତେବେ କୌଣସି ବି ଘର ମାଲିକ ବିନା କୌଣସି ପୂର୍ବ ସୂଚନା ନଦେଇ ଭଡାଟିଆଙ୍କୁ ହଠାତ୍ ଘରୁ କାଢି ପାରିବେ ନାହିଁ । ଏଥିପାଇଁ  ଘର ମାଲିକଙ୍କୁ ୨୪ ଘଂଟା ପୂର୍ବରୁ ଭଡାଟିଆଙ୍କୁ ଲିଖିତ ନୋଟିସ ଦେବାକୁ ହେବ । ସେହିଭଳି ଭଡା  ବାବଦକୁ ଭଡାଟିଆଙ୍କଠାରୁ ନିଆଯାଉଥିବା  ସିକ୍ୟୁରିଟି ଡିପୋଜିଟ ରୂପରେ ୨ ମାସର ଭଡାରୁ ଅଧିକ ରକମ  ମାଗିପାରିବେ ନାହିଁ କୌଣସି ବି ଘରମାଲିକ ।

ଯଦି ଭଡାଟିଆ ରେଂଟ ଏଗ୍ରିମେଂଟ ମୁତାବକ ସମୟ ସୀମା ଭିତରେ ଘର ବା ଦୋକାନ ଖାଲି ନକରନ୍ତି ତେବେ ମାଲିକ ଆଗାମୀ  ୨ ମାସ ପର୍ଯ୍ୟନ୍ତ ତାଙ୍କଠାରୁ ଦୁଇ ଗୁଣା ଭଡା ମାଗିପାରିବେ । ସେହିଭଳି ଉଭୟ ରେଂଟ୍ ଏଗ୍ରିମେଂଟ ସରିବା ପରେ ବି ଯଦି ଭଡାଟିଆ ଘର ଖାଲି ନକରନ୍ତି ତେବେ ମାଲିକଙ୍କୁ ୪ ଗୁଣା ପର୍ଯ୍ୟନ୍ତ ରେଂଟ ମାଗିବାର ଅଧିକାର ରହିବ । ଯଦି ଘର ମାଲିକ ବିଲିଡିଂ କିମ୍ବା ଫ୍ଲାଟର ମରାମତି କରିବାକୁ ଚାହୁଁନ୍ତି ତେବେ ରିନୋଭେସନ କାମ ସରିବାର ମାସକ ପରେ ତାଙ୍କୁ ଭଡା ବଢାଇବାକୁ ଅନୁମତି ମିଳିବ । କିନ୍ତୁ ଭଡା ବଢାଇବା ପୂର୍ବରୁ ଭଡାଟିଆଙ୍କ ସହମତି ନେବା ମଧ୍ୟ ନିହାତି ଜରୁରୀ ।  ଯଦିଓ ଏହି ଆଇନ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି କିନ୍ତୁ ଏହାକୁ ଲାଗୁ କରିବାର ଅଧିକାର ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିବ ।