କରୋନା ସଂକଟ ସମୟରେ କିନ୍ନର ମାନଙ୍କ ପାଇଁ ଖୁସି ଖବର । ସରକାର ଯୋଗାଇ ଦେବେ ସହାୟତା । ଜାଣନ୍ତୁ କ’ଣ ରହିଛି ନିୟମ

462

କନକ ବ୍ୟୁରୋ : କରୋନା କାଳରେ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ରୋଜଗାର ଥିବା ଲୋକଙ୍କର ରୋଜଗାର ନାହିଁ ବା କମିଛି ଅନ୍ୟପଟେ ଦେଶରେ ରହୁଥିବା କିନ୍ନର ମାନଙ୍କ ଦୈନିକ ଖାଦ୍ୟ ସଂଗ୍ରହରେ ବି ସମସ୍ୟା ଦେଖା ଦେଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର କିନ୍ନର ମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।

ଏନେଇ ସରକାର ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ସୂଚନା ମୁତାବକ କିନ୍ନର ମାନଙ୍କୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ଡିଫେନ୍ସ  ସାଇଟକୁ ଯାଇ ପଞ୍ଜିକରଣ କରିବାକୁ ପଡିବ । ପଞ୍ଜିକରଣ କରିଥିବା କିନ୍ନର ମାନଙ୍କୁ ସରକାର ୧୫୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବେ ।

ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଆଦେଶରେ ଏଭଳି କୁହାଯାଇଛି । ମନ୍ତ୍ରଣାଳୟ କହିଛି କି କିନ୍ନର ମାନଙ୍କର କିଛି ନିଶ୍ଚିନ୍ତ ରୋଜଗାର ନାହିଁ । ସେମାନେ ଲୋକମାନଙ୍କର ବାହାଘର ଓ ବିଭିନ୍ନ ଶୁଭ କାମରେ ଯୋଗ ଦେଇ କିଛି ରୋଜଗାର କରିଥାନ୍ତି । ହେଲେ କରୋନା କାଳରେ ଏହା ହୋଇପାରୁ ନଥିବାରୁ ସେମାନଙ୍କର ରୋଜଗାର ଏକ ପ୍ରକାର ଠପ୍ ହୋଇଯାଇଛି ।

ଅନ୍ୟପଟେ କିନ୍ନର ମାନଙ୍କର ଅଧିକାରକୁ ସୁନିଶ୍ଚିନ୍ତ କରିବାକୁ କିଛିଦିନ ଆଗରୁ ସରକାର ଏକ ପୋର୍ଟାଲ ପ୍ର୍ରସ୍ତୁତ କରିଛନ୍ତି    । ଏହା ମାଧ୍ୟମରେ କିନ୍ନର ମାନେ ସହଜରେ ସେମାନଙ୍କର ପରିଚୟପତ୍ର ପ୍ରସ୍ତୁତ କରିପାରିବେ । ଏହି ପୋର୍ଟାଲ ମାଧ୍ୟମରେ ପରିଚୟପତ୍ର ପାଇଥିବା କିନ୍ନର ମାନେ ସରକାରଙ୍କର ସମସ୍ତ ସହାୟତା ପାଇପାରିବେ ।