ଲକ୍ ଡାଉନ ପରେ କେନ୍ଦ୍ର କ୍ୟାବିନେଟରେ ବଡ଼ ନିଷ୍ପତ୍ତି । ମାତ୍ର ୨ଟଙ୍କାରେ କିଲେ ଗହମ ଏବଂ ୩ ଟଙ୍କାରେ ଚାଉଳ କିଲେ ଦେବେ କେନ୍ଦ୍ର ସରକାର । ଆଗୁଆ ୩ ମାସର ରାସନ୍ ବାଣ୍ଟିବାକୁ କେନ୍ଦ୍ରର ନିଷ୍ପତି , ଉପକୃତ ହେବେ ୮୦ କୋଟି ଲୋକ ।

9,958

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ୨୧ ଦିନ ଦେଶବ୍ୟାପୀ ଲକ୍ ଡାଉନ ପରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶବାସୀଙ୍କ ଖାଦ୍ୟ ସମସ୍ୟାକୁ ଦୂର କରିବା ପାଇଁ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର । ଆସନ୍ତା ତିନିମାସ ପାଇଁ ଆଗୁଆ ରାସନ୍ ଦେବାକୁ ନିଷ୍ପତି । ୨ଟଙ୍କାରେ କିଲେ ଗହମ ଏବଂ ୩ଟଙ୍କାରେ ୧ କିଲୋ ଚାଉଳ ଦେବାକୁ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ କହିବା ମୁତାବକ, କରୋନା ମୁକାବିଲା ପାଇଁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପୀ ତାଲାବନ୍ଦ ଥିବାବେଳେ ଲୋକଙ୍କୁ ରାସନ୍ ପହଁଚାଇବାକୁ କେନ୍ଦ୍ରର ମୂଳ ଲକ୍ଷ୍ୟ । ତେଣୁ ଆସନ୍ତା ୩ ମାସ ପାଇଁ ଆଗୁଆ ରାସନ୍ ଲୋକଙ୍କୁ ବାଣ୍ଟିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । ଲୋକଙ୍କୁ ମାସକୁ ପ୍ରତି ୭ କିଲୋ ହିସାବରେ ୩ ମାସର ଆଗୁଆ ରାସନ୍ ଯଥା ୨ଟଙ୍କାରେ କିଲେ ଗହମ ଏବଂ ୩ଟଙ୍କାରେ ୧ କିଲୋ ଚାଉଳ ନେଇପାରିବେ । ଏହାଦ୍ୱାରା ପାଖାପାଖି ୮୦ କୋଟି ଲୋକ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।

ସବୁଠାରୁ ବଡ଼ କଥା ହେଲା କି, ୨୭ଟଙ୍କା ପ୍ରତି କିଲୋ ପିଛା ଗହମକୁ ମାତ୍ର ୨ଟଙ୍କା ଏବଂ ୩୭ ଟଙ୍କା ପ୍ରତି କିଲୋ ପିଛା ଚାଉଳକୁ ମାତ୍ର ୩ଟଙ୍କାରେ ପ୍ରଦାନ କରିବାକୁ କେନ୍ଦ୍ର କ୍ୟାବିନେଟରେ ନିଷ୍ପତି ନିଆଯାଇଛି । ଏଥିପାଇଁ ୧ଲକ୍ଷ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।