ବଢିବ କି ମୂର୍ତ୍ତିର ଉଚ୍ଚତା, ୨ ଦିନ ଭିତରେ ସରକାର ନେବେ ନିଷ୍ପତ୍ତି?

87

କନକ ବ୍ୟୁରୋ : ସରକାର-ପୂଜା କମିଟି ବୈଠକ ଶେଷ । ମୂର୍ତ୍ତିର ଉଚ୍ଚତା କେତେ ଫୁଟ ରହିବ, ଏନେଇ ଆସନ୍ତା ଦୁଇଦିନ ଭିତରେ ନିଷ୍ପତ୍ତି ନେବେ ସରକାର । ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ବସିଥିବା ବୈଠକରେ ଏନେଇ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମହାନଗର ଶାନ୍ତି କମିଟି ମୁଖ୍ୟ ପ୍ରଭାତ ରଞ୍ଜନ ତ୍ରିପାଠୀ । ସେହିପରି ଦୁର୍ଗାପୂଜାକୁ ଆହୁରି ଗୋଟିଏ ମାସରୁ ଅଧିକ ସମୟ ବାକି ରହିଛି । ତେଣୁ ସେହି ସମୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ଉପରେ ସରକାର ନିଷ୍ପତ୍ତି ।ନେବେ । ସଂକ୍ରମଣ ସ୍ଥିତିକୁ ଦେଖି ଆବଦ୍ଧ ପୂଜା ଉପରେ ନିଷ୍ପତ୍ତି ନିଆଯିବ ।

ମୂର୍ତ୍ତି ବିବାଦକୁ ନେଇ ପ୍ରତିବାଦ ହୋଇଥିବା ବେଳେ ସରକାର ସଙ୍ଗେ ସଙ୍ଗେ ବୈଠକ ଡାକି ଆଲୋଚନା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ପୂଜା କମିଟି । ଦୁର୍ଗାପୂଜା ସହ ଲୋକଙ୍କର ଭାବାବେଗ ଜଡିତ ଥିବାରୁ ସରକାର ଉଚିତ୍  ନିଷ୍ପତ୍ତି ନେବେ । ମନ୍ଦିରରେ ଯେହେତୁ ଦର୍ଶନ ପାଇଁ ଅନୁମତି ମିଳିଲାଣି ତେଣୁ ଦୁର୍ଗାପୂଜାରେ ମଧ୍ୟ ଭକ୍ତଙ୍କୁ ଅନୁମତି ମିଳିପାରେ । କିନ୍ତୁ ସେତେବେଳେ ସଂକ୍ରମଣର ସ୍ଥିତିକୁ ଦେଖି ସରକାର ନିଷ୍ପତ୍ତି  ନେବେ ବୋଲି କହିଛନ୍ତି ପ୍ରଭାତ ।

ମୂର୍ତ୍ତି ଉଚ୍ଚତା ବିବାଦ ପ୍ରସଙ୍ଗରେ ଆଜି ଆଲୋଚନା ପାଇଁ ବୈଠକ ଡାକିଥିଲେ ସରକାର । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟକୁ ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ବୈଠକରେ ଶାନ୍ତି କମିଟି ଓ ପୂଜା କମିଟି ସହ ଆଲୋଚନା କରିଥିଲେ । ଆଉ ବୈଠକ ପରେ ମୂର୍ତ୍ତି ପ୍ରସଙ୍ଗରେ ସରକାର ୨ ଦିନ ଭିତରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ପୂଜା କମିଟି ।

ଗତକାଲି ପୂଜା ଗାଇଡଲାଇନକୁ ନେଇ ଗୃହରେ ହୋହାଲ୍ଲା ହଙ୍ଗାମା ହୋଇଥିଲା । ମୂର୍ତି ଉଚ୍ଚତା ବୃଦ୍ଧି ଓ ତିନି ପାଶ୍ୱର୍ରୁ ପରଦା ଉଠାଇବା ଦାବିରେ ପ୍ରଶ୍ନକାଳ ସରିବା ପରେ କଂଗ୍ରେସ ବିଧାୟକ ଗୃହରେ ହୋହାଲ୍ଲା କରିଥିଲେ । ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ପ୍ରତିବାଦ ମଧ୍ୟ କରିଥିଲେ । ସେପଟେ ବିଜେପି ମଧ୍ୟ ସମାନ ଦାବି କରିଛି । ପୂଜା କଟକଣା ହଟାଇବାକୁ ଦାବି କରିଛି ଦଳ । ଗୃହର ଉଦବେଗକୁ ଦୃଷ୍ଟିରେ ରଖି ପୂଜା କଟକଣା ନିଷ୍ପତିର ପୁର୍ନବିଚାର କରିବା ପାଇଁ ବାଚସ୍ପତି ରୁଲିଂ ଦେଇଥିଲେ ।