ଆଫଗାନିସ୍ତାନ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ । ବିିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଲେ, ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ସରକାରଙ୍କ ପ୍ରାଥମିକତା ।

173

କନକ ବ୍ୟୁରୋ : ଆଫଗାନିସ୍ତାନ ସ୍ଥିତି ନେଇ ସର୍ବଦଳୀୟ ବୈଠକରେ ଆଲୋଚନା । ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର ଆଫଗାନିସ୍ତାନ ସ୍ଥିତି ନେଇ ବିରୋଧୀ ଦଳଙ୍କୁ ସୂଚନା ଦେଇଛନ୍ତି । ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ସର୍ବଦଳୀୟ ବୈଠକରେ କୁହାଯାଇଛି ।

ସୂଚନା ଅନୁସାରେ ଏଚ୍. ଜୟଶଙ୍କର ବୈଠକରେ କହିଛନ୍ତି, ଆଫଗାନସ୍ତାନର ସ୍ଥିତି ବହୁତ ଖରାପ । ସାରା ବିଶ୍ୱ ଏବେ ତାଲିବାନକୁ ନେଇ ୱେଟ୍ ଆଣ୍ଡ ୱାଚ୍ ପଲିସି ଆପଣାଇଛି । ଭାରତ ମଧ୍ୟ ସେହି ମୋଡରେ ରହିଛି । ସର୍ବଦଳୀୟ ବୈଠକରେ ସବୁ ରାଜନୈତିକ ଦଳ ଆଫଗାନିସ୍ତାନରୁ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହି ବୈଠକରେ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ, ପୀୟୁଷ ଗୋଏଲ ସାମିଲ ହୋଇଥିଲେ ।

ଆଫଗାନିସ୍ତାନରେ ଭାରତ ବଡ ନିବେଶ କରିଛି । ପ୍ରାୟ ୨୨ ହଜାର କୋଟି ଟଙ୍କାର ଏକାଧିକ ପ୍ରକଳ୍ପ କରିଛି ଭାରତ । ସଲମା ଡ୍ୟାମ୍, ସଂସଦ ଭବନ ଓ ଜାତୀୟ ରାଜପଥରୁ ଆରମ୍ଭ କରି ସ୍କୁଲ, ହସ୍ପିଟାଲ ଓ ଲାଇବ୍ରେରୀ ପରି ଏକାଧିକ ପ୍ରକଳ୍ପ କରୁଛି ଭାରତ । ଏବେ ତାଲିବାନ କବ୍ଜା କରିବା ପରେ ଭାରତ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ଅନ୍ୟପଟେ କାବୁଲ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରାଯାଉଛି । ବିମାନ ବନ୍ଦରରେ ହେଉଥିବା ଭିଡର ସୁଯୋଗ ନେଇ କୌଣସି ଅଘଟଣ ଘଟାଇ ପାରନ୍ତି ତାଲିବାନୀ ଆତଙ୍କୀ । ତିନିଟି ଦେଶ ନିଜ ନାଗରିକଙ୍କୁ ଏୟାରପୋର୍ଟ ଅଂଚଳରୁ ପଳାଇ ଯିବାକୁ କହିଛନ୍ତି । କାବୁଲ ଏୟାରପୋର୍ଟ ଯିବା ପାଇଁ ନାଗରିକଙ୍କୁ ଅଟକାଇଛି ଆମେରିକା । ଆବେ ଗେଟ୍, ଇଷ୍ଟ ଗେଟ୍ ଓ ନର୍ଥ ଗେଟରେ ଥିବା ଆମେରିକା ନାଗରିକ ତୁରନ୍ତ ସ୍ଥାନ ଛାଡିବାକୁ କହିଛି ଆମେରିକା । ବ୍ରିଟେନ୍ ଓ ଅଷ୍ଟ୍ରେଲିଆ ମଧ୍ୟ ଆଲର୍ଟ ଜାରି କରିଛନ୍ତି । ଆତଙ୍କବାଦୀମାନେ ହମଲା କରିବାକୁ ଥିବାରୁ ତୁରନ୍ତ ଏୟାରପୋର୍ଟ ଖାଲି କରିବାକୁ ଅଷ୍ଟ୍ରେଲିଆ ଓ ବ୍ରିଟେନ୍ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅଷ୍ଟ୍ରେଲିଆ ବୈଦେଶିକ ମନ୍ତରୀ ମାରିସେ ପେୟନ୍ କହିଛନ୍ତି, କାବୁଲ ଏୟାରପୋର୍ଟ ନିକଟରେ ବଡ଼ ଧରଣର ଆତଙ୍କୀ ହମଲାର ବିପଦ ସୃଷ୍ଟି ହୋଇଛି । ଏଥିପାଇଁ ଅଷ୍ଟ୍ରେଲିଆର ତାର ନାଗରିକ ଓ ଏଠାକୁ ଆସିବା ପାଇଁ ଭିସା ପାଇଥିବା ଲୋକଙ୍କୁ ତୁରନ୍ତ ଏୟାରପୋର୍ଟ ଖାଲି କରିବାକୁ ପରାମର୍ଶ ଦେଇଛି ।