ଚାଷ ବଢ଼ିଲେ ଦେଶ ବଢ଼ିବ ୨୦ ଲକ୍ଷ କୋଟି ପ୍ୟାକେଜରେ କୃଷିକୁ ଫୋକସ୍ । କୃଷି ଭିତ୍ତିଭୂମିର ବିକାଶ ପାଇଁ ୧ଲକ୍ଷ କୋଟିର ପ୍ୟାକେଜ । କେନ୍ଦ୍ର ଅର୍ଥମନ୍ତ୍ରୀ କହିଲେ, ସ୍ଥାନୀୟ ଉତ୍ପାଦର ପ୍ରଚାର ପ୍ରସାର ସହ ୫୫ଲକ୍ଷ ମିଳିବ ନିଯୁକ୍ତି ।

610

କନକ ବ୍ୟୁରୋ: ଆତ୍ମନିର୍ଭର ଭାରତ ଅଭିଯାନର ଆଜି ତୃତୀୟ ସେଟ୍ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମେ ଉଦ୍ୟୋଗ, ଦ୍ୱିତୀୟରେ ଗରିବ ଓ ଶ୍ରମିକ ଏବଂ ଆଜି ତୃତୀୟ ସେଟ୍ରେ କୃଷି ଉପରେ ଫୋକସ କରିଛନ୍ତି କେନ୍ଦ୍ର ସରକାର । କୃଷି ଭିତିଭୂମିକୁ ମଜଭୁତ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି । କୃଷି, ମତ୍ସ୍ୟଚାଷ, ପଶୁ ସଂପଦ ଓ ଆନୁସଙ୍ଗିକ କାର୍ଯ୍ୟକଳାପକୁ କିପରି ତ୍ୱରାନ୍ୱିତ କରାଯିବ, ଏହାକୁ ଆଖି ଆଗରେ ରଖିଛନ୍ତି ସରକାର । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଛି କୃଷିଜାତ ସାମଗ୍ରୀ ପାଇଁ ଥିବା ଏସେନ୍ସିଆଲ୍ କମୋଡିଟି ଆକ୍ଟ ବା ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ସଂଶୋଧନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଅର୍ଥାତ୍ କୃଷିଜାତ ସାମଗ୍ରୀର ମୂଲ୍ୟକୁ ନିୟନ୍ତ୍ରଣ ମୁକ୍ତ କରାଯିବ । ଚାଷୀମାନେ ସ୍ଥିର କରିବେ, ସେମାନଙ୍କ ଉତ୍ପାଦର ମୂଲ୍ୟ କେତେ ହେବ ।

କୃଷି କ୍ଷେତ୍ରରେ ବଡ଼ ନିବେଶର ଆଶା ରଖି ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ସଂଶୋଧନ କରିବା ପାଇଁ ଯାଉଛନ୍ତି କେନ୍ଦ୍ର ସରକାର । ଖାଦ୍ୟଶସ୍ୟ, ଡାଲି, ଖାଇବା ତେଲ, ତୈଳବୀଜ, ପିଆଜ ଓ ଆଳୁ ଆଦି କୃଷି ଉତ୍ପାଦକୁ ନିୟନ୍ତ୍ରଣ ମୁକ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥାତ୍ ଚାଷୀମାନେ ସ୍ଥିର କରିବେ କେତେ ଦାମ୍ରେ ବିକ୍ରି କରିବେ ସେମାନଙ୍କ ଉତ୍ପାଦ । ତେବେ ଜାତୀୟ ବିପତ୍ତି, ମରୁଡ଼ି ଭଳି ସ୍ଥିତିରେ ଏହାକୁ ନିୟନ୍ତ୍ରଣ କରିପାରିବେ ସରକାର ।

ପଢନ୍ତୁ ସରକାରଙ୍କ କୃଷି ପ୍ୟାକେଜ୍ ଉପରେ –
କୃଷି ଭିତ୍ତିଭୂମି ମଜଭୁତ କରିବା ପାଇଁ ଖର୍ଚ୍ଚ ହେବ ୧ ଲକ୍ଷ କୋଟି ଟଙ୍କା
କୃଷିଜାତ ସାମଗ୍ରୀର ବିକ୍ରିବଟା ପାଇଁ ନୂଆ ଆଇନ ଅଣାଯିବ
ଆକର୍ଷଣୀୟ ମୂଲ୍ୟରେ କୃଷି ଉତ୍ପାଦ ବିକ୍ରି କରିପାରିବେ ଚାଷୀ
ଅପରେସନ୍ ଗ୍ରୀନ୍ ପରିସରକୁ ଆସିବ ଟମାଟୋ, ଆଳୁ, ପିଆଜ, ଫଳ ଓ ପନିପରିବା
ମହୁ ଚାଷୀଙ୍କ ପାଇଁ ୫୦୦ କୋଟି ଟଙ୍କା ସହାୟତା
ଉପକୃତ ହେବେ ୨ ଲକ୍ଷ ମହୁଚାଷୀ
୨ ଲକ୍ଷ କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପାଇଁ ଯୋଜନା
ହର୍ବାଲ କଲ୍ଟିଭେସନ୍ ପାଇଁ ୪୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ
ପଶୁ ସଂପଦ ଭିତ୍ତିଭୂମି ପାଇଁ ୧୫ ହଜାର କୋଟି ବ୍ୟୟ କରାଯିବ
ଗାଈଗୋରୁ ଓ ଅନ୍ୟ ଗୃହପାଳିତ ପଶୁଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେବ ୧୩ ହଜାର ୩୪୩ କୋଟି

କରୋନା ସମୟରେ ସମସ୍ୟା ଭିତରେ ଗତି କରୁଥିବା କୃଷି କ୍ଷେତ୍ରର ଭିତିଭୂମିକୁ ମଜଭୁତ କରିବା ଉପରେ ଜୋର ଦିଆଯାଇଛିି । କୃଷି କ୍ଷେତ୍ରରେ ପ୍ରତିଯୋଗୀତା ବୃଦ୍ଧି କରି ଚାଷ ଓ ଚାଷୀଙ୍କ ଚେହେରା ବଦଳାଇବା ପାଇଁ ଚାହୁଁଛନ୍ତି କେନ୍ଦ୍ର ସରକାର ।