କାଲିଠୁ ଆରମ୍ଭ ହେବ ରାଜ୍ୟରେ ସ୍ୱତନ୍ତ୍ର କରୋନା ଅଭିଯାନ । ୩୧ ଜୁଲାଇ ପର୍ଯ୍ୟନ୍ତ ଘର ଘର ବୁଲିବେ ଆଶା ଦିଦି ଓ ଏଏନଏମ କର୍ମୀ, ଲକ୍ଷଣ ଥିବା ବ୍ୟକ୍ତିଙ୍କ କରାଯିବ କରୋନା ପରୀକ୍ଷା

586

କନକ ବ୍ୟୁରୋ : କରୋନା ସଂକ୍ରମଣ ରୋକିବା ପାଇଁ ଆସନ୍ତାକାଲି ଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି ଓଡିଶା ସରକାର । ଗାଁ ଗହଳି ଓ ସହରର ବସ୍ତି ଅଂଚଳରେ ଘରକୁ ଘର ବୁଲି କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯିବ । କାରଣ, ଲକ୍ଷଣ ଥିବା ଲୋକଙ୍କ ଠାରୁ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ଏନେଇ ସୂଚନା ଦେଇଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ । ଏହାସହ କରୋନା ପରୀକ୍ଷଣ ହାର କମିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ରାଜ୍ୟ ସରକାର ।ଆଇସିଏମଆରର ନୂଆ ଗାଇଡଲାଇନ ଅନୁସାରେ କରୋନା ପରୀକ୍ଷା କରାଯାଉଥିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି ।

ଭୁବନେଶ୍ୱରର ବସ୍ତି ସହ ଗାଁ ଗହଳିରେ କିଛି ସ୍ଥାନୀୟ ଲୋକ କରେନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢିଥିଲା । କାହିଁକି ନା ଏସବୁ ଅଂଚଳରେ ସାମାଜିକ ଦୂରତା ରଖିବା ଏତେଟା ସହଜ ନୁହେଁ । ଏଭଳି ସ୍ଥିତିରେ ଗାଁ ଗହିଳି ଓ ସହରର ବସ୍ତି ଅଂଚଳରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ ସରକାର ବଡ ଅଭିଯାନ ଆରମ୍ଭ କରୁଛନ୍ତି । ଗାଁ ଗହଳିରେ ଥିବା ପ୍ରତ୍ୟେକ ଘର ଓ ସହରର ବସ୍ତି ଅଂଚଳରେ କରେନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯିବ । ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ଆଶା ଓ ଏଏନଏମ କର୍ମୀ । ୧୬ଜୁନରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ । ଲକ୍ଷଣ ଥିବା ରୋଗୀଙ୍କୁ ଏଭଳି ଚିହ୍ନଟ କରିବା ପଛରେ ରହିଛି ଏକ ପ୍ରମୁଖ କାରଣ । ସରକାର କହିଛନ୍ତି ଲକ୍ଷଣ ପ୍ରକାଶ ପାଉଥିବା କରୋନା ଆକ୍ରାନ୍ତଙ୍କ ଠାରୁ ସଂକ୍ରମଣ ବଢିବାର ଆଶଙ୍କା ଅଧିକ । କରୋନା ରୋଗୀଙ୍କ ଲକ୍ଷଣ ନଥିଲେ ଏତେ ମାତ୍ରାରେ ସଂକ୍ରମଣ ହେଉ ନାହିଁ ।

ସରକାରଙ୍କ ଏହି ତଥ୍ୟକୁ ଆଧାର କଲେ ଥଣ୍ଡା,କାଶ,ଜ୍ୱର,ଛିଙ୍କ ଭଳି ଲକ୍ଷଣ ନଥିବା ରୋଗୀଙ୍କ ସହ ମିଳାମିଶା କଲେ ବିଶେଷ ଅସୁବିଧା ହୋଇ ନପାରେ । କାହିଁକି ନାଁ ଲକ୍ଷଣ ଥିବା କରୋନା ଆକ୍ରାନ୍ତଙ୍କ ଠାରୁ ସଂକ୍ରମଣର ଆଶଙ୍କା ଥିବା କହିଛନ୍ତି ସରକାର । ଏସବୁ ଭିତରେ ଭାରତ ତୁଳନାରେ ଓଡିଶାର ସ୍ଥିତି ଭଲ ଥିବା ନେଇ ତୁଳନାତ୍ମକ ତଥ୍ୟ ରଖିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ।

ଓଡିଶାରେ ଆଜି ସୁଦ୍ଧା ୨ଲକ୍ଷ ସନ୍ଦିଗ୍ଧଙ୍କ କରୋନା ପରୀକ୍ଷା ସରିଛି । ବର୍ତ୍ତମାନ ଲକ୍ଷଣ ଥିବା ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କରୋନା ପରୀକ୍ଷା ନେଇ ଆଇସିଏମଆରର ନୂଆ ଗାଇଡଲାଇନ ଜାରି କରିବା ପରେ ମୁକାବିଲା ରଣନୀତି ବଦଳାଇଛନ୍ତି ରାଜ୍ୟ ସରକାର ।