‘କୋଭିସିଲ୍‌ଡ’ ଟିକା ଅଭାବ : ଆଜି ୫ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

123

କନକ ବ୍ୟୁରୋ : ଆଜି ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କୋରାପୁଟ, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ରାଜ୍ୟରେ ‘କୋଭିସିଲ୍‌ଡ’ ଟିକାର ଅଭାବ ପାଇଁ ଏକାଧିକ ଜିଲ୍ଲାରେ ଟିକାକରଣ ବନ୍ଦ କରିବାକୁ ପଡ଼ୁଛି । ଏପରିକି ଟିକାକରଣ ଅଧିବେଶନ ମଧ୍ୟ କମିବାରେ ଲାଗିଛି । ଆଜି ରାଜ୍ୟରେ ୫୨୦ ଅଧିବେଶନରେ ଟିକାକରଣ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୫ତାରିଖରେ ରାଜ୍ୟରେ ରେକର୍ଡ ସଂଖ୍ୟକ ଦିନକରେ ୪ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଥିଲା । ମାତ୍ର ଏହା ପରଠାରୁ ଦୈନିକ ଟିକାକରଣ କମି କମି ଚାଲିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକଥର କେନ୍ଦ୍ର ସରକାରଙ୍କୁ ଚିଠି ଦିଆଗଲାଣି । ଆସନ୍ତା ୧୫ ତାରିଖରେ ପରବର୍ତ୍ତୀ ଟିକା ଆସିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ତେଣୁ ୯ ତାରିଖଠାରୁ ରାଜ୍ୟରେ ଟିକାକରଣ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି ।

ଗୁରୁବାର ରାଜ୍ୟରେ ୭୧୭ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧ଲକ୍ଷ ୩୬ହଜାର ୯୬୪ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୩୧ଲକ୍ଷ ୭୯ହଜାର ୩୦୪ ଡୋଜ୍ ଟିକା ଦିଆଗଲାଣି । ଏଥିରେ ପ୍ରଥମ ଡୋଜ୍ ସଂଖ୍ୟା ୧ କୋଟି ଟପିଛି । ରାଜ୍ୟରେ ଏବେ ୧ଲକ୍ଷ ୯ହଜାର ୫୯୦ଡୋଜ୍ କୋଭିସିଲ୍‌ଡ ଓ ୨ଲକ୍ଷ ୫୪ହଜାର ୩୦ଡୋଜ୍ କୋଭାକ୍ସିନ୍ ଟିକା ମହଜୁଦ ରହିଛି ।