କନକ ବ୍ୟୁରୋ : କରୋନା କାଳରେ ସଂସଦରେ ଉପସ୍ଥାପିତ ହୋଇଯାଇଛି ବଜେଟ । ୨୦୨୧-୨୨ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ ଅର୍ଥମନ୍ତ୍ରୀ ବିଭିନ୍ନ କ୍ଷେତ୍ର ପାଇଁ ଅନେକ ପ୍ୟାକେଜ ଘୋଷଣା କରିଛନ୍ତି । ସେହିପରି ଚଳିତ ଆର୍ଥିକ ବର୍ଷରେ ୧.୭୫ ଲକ୍ଷ କୋଟି ଟଙ୍କା ବିନିବେଶ କରିବା ପାଇଁ ସରକାର ଚିନ୍ତା କରିଛନ୍ତି । ଏହି ବିନିବେଶ ଗତ ବର୍ଷ ତୁଳନାରେ ୩୫ ହଜାର କୋଟି ଟଙ୍କା କମ ଅଛି । ଗତ ୨୦୨୦-୨୧ ବଜେଟରେ ୨.୧ ଲକ୍ଷ କୋଟି ଟଙ୍କା ବିନିବେଶ କରି ଆୟ କରିବାକୁ ସରକାର ଘୋଷଣା କରିଥିଲେ ।
ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ବିନିବେଶ ଜରିଆରେ ୧.୭୫ ଲକ୍ଷ କୋଟି ଟଙ୍କା ଆୟ କରିବାର ପ୍ଲାନ ଅଛି । ଏହାସହ ବିନିବେଶ କରିବା ପାଇଁ କିଛି ସରକାର କମ୍ପାନୀକୁ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ତେବେ ଆସନ୍ତୁ ଜାଣିବା ବିନିବେଶରେ କେଉଁ କେଉଁ କମ୍ପାନୀ ବିକ୍ରି କରିବାକୁ ସରକାର ଚିନ୍ତା କରୁଛନ୍ତି ।
ଆଗାମୀ ଆର୍ଥିକ ବର୍ଷରେ ବିପିସିଏଲ, ଏୟାର ଇଣ୍ଡିଆ, କାନକୋର ଓ ସିଏସଆଇ ଉପରେ ବିନିବେଶ ପାଇଁ ମୋହର ଲାଗିପାରେ । ଏହାସହ ଆସନ୍ତା ବର୍ଷ ଏଲଆଇସିର ଆଇପିଓ ଆସିବାର ପ୍ଲାନ ମଧ୍ୟ ହୋଇଛି । ସେହିପରି ଆଇଡିବିଆଇରେ ମଧ୍ୟ ବିନିବେଶ କରିପାରନ୍ତି ସରକାର । ଶେୟାର ବଜାରକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିପିଏସଇର ଭାଗୀଦାରୀକୁ ଅଫର ଫର ସେଲ ଜରିଆରେ ବିକ୍ରି କରିପାରନ୍ତି ।
ତେବେ ଏହି ସବୁ କମ୍ପାନୀ ବିକ୍ରି ହେଲେ ସରକାରଙ୍କୁ କେମିତି ସୁବିଧା ମିଳିବ ଆସନ୍ତୁ ଜାଣିବା । ବିପିସିଏଲର ଅଂଶଧନକୁ ବିକ୍ରି କରି ସରକାର ପ୍ରାୟ ୬୦ ହଜାର କୋଟି ଟଙ୍କା ପାଇପାରିବେ । ବିପିସିଏଲ ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ତୈଳ କମ୍ପାନୀ । କମ୍ପାନୀ ସବୁବେଳେ ସରକାରଙ୍କୁ ଲାଭ ପ୍ରଦାନ କରି ଆସୁଛି । ସରକାର ଏହାର ୫୨.୯୮ ପ୍ରତିଶତ ଅଂଶ ବିକିବାକୁ ଚାହୁଁଛନ୍ତି ।
ଋଣରେ ବୁଡି ରହିଥିବା ସରକାରଙ୍କ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆରୁ ସରକାର ମୁକ୍ତି ପାଇବାକୁ ଚାହୁଁଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ଏହାକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି ସରକାର । ଏୟାର ଇଣ୍ଡିଆ ଉପରେ ବର୍ତ୍ତମାନ ୬୦ ହଜାର ୭୪ କୋଟି ଟଙ୍କାର ଋଣ ରହିଛି । ହେଲେ ଅଧିଗ୍ରହଣ ପରେ ୨୩,୨୮୬.୫ କୋଟି ଟଙ୍କା ସୁଜିବାକୁ ହେବ । ତେଣୁ ସରକାର ଏହି କମ୍ପାନୀର ସମ୍ପୂର୍ଣ୍ଣ ଅଂଶଧନକୁ ବିକିବାକୁ ଚାହୁଁଛନ୍ତି ।
ସରକାରୀ ଇନସ୍ୟୁରାନ୍ସ କମ୍ପାନୀ ଏଲଆଇସି ର ଆଇପିଓ ଆସନ୍ତା ଆର୍ଥିକ ବର୍ଷରେ ଲଞ୍ଚ କରିବ । ସରକାର ଏଲଆଇସିର ୨୫ ପ୍ରତିଶତ ଅଂଶଧନ କମ କରିବାକୁ ଯୋଜନା କରୁଛନ୍ତି । ସେହିପରି ସରକାର ଆଇଡିବିଆଇ ବ୍ୟାଙ୍କରେ ନିଜ ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛି । ଏହି ବ୍ୟାଙ୍କରେ ଏଲଆଇସିର ୫୧ ଓ ସରକାରଙ୍କ ୪୭ ପ୍ରତିଶତ ଭାଗୀଦାରି ରହିଛି । ଏଲଆଇସି ମଧ୍ୟ ନିଜ ଅଂଶଧନକୁ ବିକିବାକୁ ଇଚ୍ଛୁଥିବା ଜଣାପଡିଛି ।