ସରକାରୀ ଶିକ୍ଷକଙ୍କ ସ୍କୁଟି ଲାଇବ୍ରେରୀ । ଅପହଞ୍ଚ ଇଲାକାରେ ପହଞ୍ଚାଉଛି ଶିକ୍ଷାର ଆଲୋକ ବର୍ତ୍ତିକା ।

127

କନକ ବ୍ୟୁରୋ: ସ୍କୁଟି ଉପରେ ତିଆରି ହୋଇଛି ଲାଇବ୍ରେରୀ, ଆଉ ଗଛ ତଳେ ଚାଲିଛି ପାଠପଢା । କୁନି କୁନି ପିଲାମାନେ ନିଜ ମନ ପସନ୍ଦିଆ ବହିକୁ ନେଇ ପାଠ ପଢୁଛନ୍ତି ଆଉ ଅଙ୍କ କଷୁଛନ୍ତି । ପିଲାଙ୍କ ପାଖରେ ପହଞ୍ଚିଛି ନିଜେ ଲାଇବ୍ରେରୀ ଆଉ ତା ପୁଣି ସ୍କୁଟି ଉପରେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ଏକ ଅପହଂଚ ଇଲାକାରେ । ଯେଉଁଠି ଜଣେ ସରକାରୀ ଶିକ୍ଷକ ପିଲାମାନଙ୍କ ପାଠପଢିବା ପାଇଁ ନିଜ ସ୍କୁଟି ଉପରେ ତିଆରି କରିଛନ୍ତି ଲାଇବ୍ରେରୀ ।

ଏହି ଲାଇବ୍ରେରୀରେ ଗପ ବହିଠୁ ଆରମ୍ଭ କରି ଅଙ୍କ ବହି, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ବହି ସବୁକିଛି ଅଛି । ଆଉ ପିଲାମାନେ ନିଜ ପସନ୍ଦ ମୁତାବକ ଏଠାରୁ ବହି ନେଇ ପାଠ ପଢୁଛନ୍ତି । କରୋନା କାଳରେ ଶିଳ୍ପଠୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସବୁକିଛି ପ୍ରଭାବିତ ହୋଇଛି ।ପିଲାମାନେ ଏବେ ସ୍କୁଲକୁ ଯାଇପାରୁନାହାନ୍ତି । ଅଧିକାଂଶ ସ୍ଥାନରେ ଅନଲାଇନରେ ପାଠ ପଢା ଚାଲିଛି । ହେଲେ ଆମ ଦେଶରେ ଏମିତି କିଛି ଜାଗା ଅଛି ଯେଉଁଠି ଅନଲାଇନ୍ ପାଠ ପଢା କଣ, ମୋବାଇଲ୍ ନେଟୱାର୍କ ଦେଖିବା ସାତ ସପନ । ଆଉ ସେମିତି ଏକ ଅଂଚଳରେ ପିଲାମାନଙ୍କ ପାଖରେ ଶିକ୍ଷାର ଆଲୋକ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି ସରକାରୀ ଶିକ୍ଷକ ଚନ୍ଦ୍ର ଶ୍ରୀବାସ୍ତବ । ଜଣେ ସ୍କୁଲ ଶିକ୍ଷକଙ୍କ ଏଭଳି ନିଆରା ପ୍ରୟାସକୁ ଦେଖି ସାରା ଦେଶରୁ ତାଙ୍କୁ ବାହା ବା ମିଳିଛି । ଲୋକମାନେ ଶ୍ରୀବାସ୍ତବଙ୍କର ଏହି ସ୍କୁଟି ଲାଇବ୍ରେରୀକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି ।