ସରକାରୀ ନିୟମକୁ ଫୁ ! ମପା ଯାଉନି ସ୍କୁଲ ବ୍ୟାଗ ଓଜନ, ୨୦ ଜିଲ୍ଲାରେ କାର୍ଯ୍ୟକାରୀ ହୋଇନି ନିୟମ

Advertisment
ସରକାରୀ ନିୟମକୁ ଫୁ ! ମପା ଯାଉନି ସ୍କୁଲ ବ୍ୟାଗ ଓଜନ, ୨୦ ଜିଲ୍ଲାରେ କାର୍ଯ୍ୟକାରୀ ହୋଇନି ନିୟମ
କନକ ବ୍ୟୁରୋ : ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରିବାକୁ ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଥିଲା। କେହି ମାନିଲେନି। ତେଣୁ ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କ ବ୍ୟାଗ୍ ଓଜନ କମାଇବା ପାଇଁ ଗତ ଅଗଷ୍ଟ ପ୍ରଥମ ସପ୍ତାହରେ ବିଭାଗ ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ନିକଟକୁ ଚିଠି ପଠାଗଲା। ଏଥିରେ କୁହାଗଲା ଯେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)/ ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କ ଅଧ୍ୟକ୍ଷତାରେ ସ୍କ୍ବାଡ୍ ଗଠନ ହେବ।

publive-image source : India Today

ବ୍ଲକ ଶିକ୍ଷା ଅଧିକାରୀ, ଡିପିସିଓ, ଥାନା ଅଧିକାରୀ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ଜିଲ୍ଲାପାଳଙ୍କ ଦ୍ବାରା ଚୟନ ହୋଇଥିବା ଅଧିକାରୀମାନେ ଏହି ସ୍କ୍ବାଡର ସଦସ୍ୟ ରହିବେ। ଏହି ସ୍କ୍ବାଡ୍ ବିଭିନ୍ନ ସମୟରେ ସରକାରୀ ଓ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗର ଯାଞ୍ଚ କରିବେ। ବିଭାଗ ଅଧୀନରେ ଥିବା ସ୍କୁଲ ସମେତ ସିବିଏସ୍ଇ ଓ ଆଇସିଏସ୍ଇ ଅଧୀନ ସ୍କୁଲଗୁଡ଼ିକୁ ବି ଚଢ଼ଉ କରିପାରିବେ।

publive-imageବିଭାଗର ଏଭଳି ନିର୍ଦେଶକୁ ମାସେ ପୂରିଲାଣି। ତଥାପି ଆଜି ପର୍ଯ୍ୟନ୍ତ ନିୟମକୁ କଡ଼ାକଡ଼ି କରାଯାଇପାରିନି। କେତେକ ଜିଲ୍ଲାରେ ଏ ପର୍ଯ୍ୟନ୍ତ ଯାଞ୍ଚ କମିଟି ଗଠନ ହୋଇ ନଥିବା ଅଭିଯୋଗ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏ ନେଇ ମହାସଂଘ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ନିକଟକୁ ଚିଠି ଲେଖାଯାଇଛି। ଏଥିସହ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିୟମକୁ ପାଳନ କରିବା ପାଇଁ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗାଇଡଲାଇନରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ୧.୫କେଜିରୁ ଅଧିକ ହେବ ନାହିଁ।
୩ୟରୁ ୫ମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୨ରୁ ୩କିଲୋ ମଧ୍ୟରେ ରହିବ। ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ହୋମୱାର୍କ ଦିଆଯିବ ନାହିଁ। ସ୍କୁଲରେ ପାନୀୟ ଜଳ ସୁବିଧା କରାଯିବ। ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୪ କେଜି, ୮ମ ଓ ୯ମ ପିଲାଙ୍କ ବ୍ୟାଗର ଓଜନ ସାଢ଼େ ୪ କେଜି ଓ ଦଶମ ଶ୍ରେଣୀ ପିଲାଙ୍କ ବ୍ୟାଗର ଓଜନ ୫କେଜିରୁ ଅଧିକ ହେବ ନାହିଁ। ତେବେ ଏହି ନିୟମକୁ କେହି ପାଳନ କରୁନାହାନ୍ତି। ଏନ୍ସିଇଆରଟି ବହି ବଦଳରେ ସ୍କୁଲ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଘରୋଇ ସଂସ୍ଥାଙ୍କ ଦ୍ବାରା ପ୍ରକାଶିତ ପୁସ୍ତକ ପଢ଼ିବାକୁ ବାଧ୍ୟ କରୁଛନ୍ତି। ତେଣୁ ନିୟମକୁ କଡ଼ାକଡ଼ି ଲାଗୁ କରିବା ପାଇଁ ବ୍ଳକ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦେଶ ଦେବାକୁ ଚିଠିରେ ଅନୁରୋଧ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe