ମୂର୍ତି ଉଚ୍ଚତାକୁ ନେଇ ବଦଳିପାରେ ନିଷ୍ପତ୍ତି । ଚାରି ଫୁଟରୁ ଅଧିକ ଉଚ୍ଚତାର ମୂର୍ତି ପାଇଁ ସହମତି ହୋଇଥିବା ସୂଚନା ।

118

କନକ ବ୍ୟୁରୋ : ବାଦ ବିବାଦ ପରେ ଶେଷରେ ଆଲୋଚନା ହେଲା ଏବଂ ପାର୍ବଣ ଗାଇଡଲାଇନରେ ପରିବର୍ତ୍ତନ ନେଇ ମଝି ରାସ୍ତା ବାହାରିଥିବା ସୂଚନା ମିଳିଛି । ସରକାର ଏବଂ ପୂଜା କମିଟି ମଧ୍ୟରେ ହୋଇଥିବା ଆଲୋଚନାରେ ମୂର୍ତିର ଉଚ୍ଚତା ୪ ଫୁଟରୁ ଅଧିକ କରାଯାଇପାରେ ବୋଲି ସହମତି ପ୍ରକାଶ ପାଇଛି । ୨ ଦିନ ପରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା କରାଯିବାର ସମ୍ଭାବନା ରହିଛି । ସେହିଭଳି ଅକ୍ଟୋବରରେ ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନ ଓ ପରଦା କଟକଣା ଉପରେ ପୁନର୍ବିଚାର କରାଯାଇପାରେ ।

ମୂର୍ତ୍ତି ଉଚ୍ଚତା ବଢିବା ନେଇ ମିଳିଲା ସଂକେତ! ସରକାର-ପୂଜା କମିଟି ଆଲୋଚନାରେ ନିଷ୍କର୍ସ ! ଗତବର୍ଷ ଭଳି ଏଥର ଆଉ ଚାରିପଟୁ ପରଦା ଟାଣି, ଚାରି ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତିଙ୍କୁ ଆବାହନ କରାନଯାଇପାରେ । ବହୁ ବାଦ ବିବାଦ ଏବଂ ପ୍ରତିବାଦ ପରେ ସରକାରୀ ସ୍ତରରେ ହୋଇଥିବା ଆଲୋଚନାରୁ ଏଭଳି ଏକ ସଂକେତ ମିଳିଛି । କୁହାଯାଉଛି, ସରକାର ଖୁବଶୀଘ୍ର ପାର୍ବଣ ଗାଇଡଲାଇନରେ ପରିବର୍ତ୍ତନ କରିପାରନ୍ତି ।

ଲୋକସେବା ଭବନରେ ବସିଥିବା ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି, ପୂଜା କମିଟି, ଶାନ୍ତି କମିଟି ସଦସ୍ୟ ଏବଂ ସ୍ଥାନୀୟ ରାଜନେତାଙ୍କ ଉପସ୍ଥିତିରେ ହୋଇଥିଲା ଆଲୋଚନା । ସୂଚନା ଅନୁସାରେ ଏଥିରେ କିଛି ଗୁରୁତ୍ୱପୁର୍ଣ୍ଣ ଦିଗ ଉପରେ ସହମତି ଆସିଛି ।
– ମୂର୍ତ୍ତିର ଉଚ୍ଚତା ଉପରେ ଦୁଇ ଦିନ ଭିତରେ ନିଷ୍ପତ୍ତି ନିଆଯିବ
– ପୂଜାକୁ ଆହୁରି ମାସେ ସମୟ ଥିବାରୁ କୋଭିଡ ସ୍ଥିତି ଉପରେ ନଜର ରହିଛି
– ସଂକ୍ରମଣର ସ୍ଥିତିକୁ ଦେଖି ଲୋକଙ୍କ ଦର୍ଶନ ନେଇ ନିଷ୍ପତ୍ତି ନିଆଯିବ
– ୩ ପଟରେ ପରଦା ରହିବ କି ନାହିଁ, ଅକ୍ଟୋବରରେ ନିଷ୍ପତ୍ତି

ପୂଜା ଗାଇଡଲାଇନରେ ମାତ୍ରାଧିକ କଟକଣାକୁ ନେଇ ଲଗାତର ପ୍ରତିବାଦ ଚାଲିଥିଲା । ପ୍ରଥମେ କଟକରେ ଏନେଇ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଓ ବର୍ଷାରେ ଭିଜି ଆଣ୍ଠେଇ କରି ଆନ୍ଦୋଳନ କରାଯାଇଥିଲା । ପରେ ଏହାର ପ୍ରଭାବ ବିଧାନସଭାରେ ମଧ୍ୟ ଅନୁଭୂତ ହୋଇଥିଲା । କଂଗ୍ରେସ ସଦସ୍ୟଙ୍କ ପ୍ରତିବାଦ ପରେ ଗୃହର ଉଦବେଗକୁ ଦୃଷ୍ଟିରେ ରଖି ପୂଜା କଟକଣା ନିଷ୍ପତ୍ତିର ପୁର୍ନବିଚାର କରିବା ପାଇଁ ବାଚସ୍ପତି ରୁଲିଂ ଦେଇଥିଲେ ।