କନକ ବ୍ୟୁରୋ :କଟକରେ ଦୁର୍ଗାପୂଜା ମୂର୍ତ୍ତି ଉତ୍ତତା ନେଇ ଲାଗି ରହିଥିବା ବିବାଦର ପଡିଛି ପୂର୍ଣ୍ଣଚ୍ଛେଦ । ନିଷ୍ପତ୍ତିର ପୁନଃବିଚାର କରିବାକୁ ରାଜ୍ୟ ସରକାର ପକ୍ଷରୁ ସଚିବାଳୟରେ ଅନୁଷ୍ଠିତ ବୈଠକ ଫଳପ୍ରଦ ହୋଇଛି । ଆଜି କିମ୍ବା ଆସନ୍ତାକାଲି ଏନେଇ ଘୋଷଣା କରାଯିବ । ଆଲୋଚନା ବୈଠକରେ ରାଜ୍ୟ ସରକାର ମା’ ଦୁର୍ଗାଙ୍କର ୪ଫୁଟର ମୂର୍ତ୍ତି ତିଆରି କଟକଣା ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଅନ୍ୟପକ୍ଷରେ ମଣ୍ଡପ ସମ୍ମୁଖରୁ ପରଦା ହଟାଇବା ଓ ଭକ୍ତଙ୍କ ଦର୍ଶନ ଉପରେ ଥିବା କଟକଣା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏ ନେଇ କୈଣସି ନିଷ୍ପତ୍ତି ନିଆଯାଇନି । ପୂଜାର କିଛି ଦିନ ପୂର୍ବରୁ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏ ସଂକ୍ରାନ୍ତରେ ସରକାରୀ ନିଷ୍ପତ୍ତି ନିଆଯିବ ।
ଏହି ବୈଠକରେ ସାଂସଦ ସୁବାସ ସିଂହ, ବିଧାୟକ ତଥା ବିଜେଡିର ରାଜ୍ୟ ସଂଗଠନ ସଂପାଦକ ପ୍ରଣବପ୍ରକାଶ ଦାସ, ବିଧାୟକ ଚନ୍ଦ୍ରସାରଥି ବେହେରା, ସୌଭିକ ବିଶ୍ବାଳ, କଟକ ମହାନଗର ପୂଜା କମିଟି ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ, କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ସଂପାଦକ ଭିକାରି ଦାସ, କାର୍ଯ୍ୟକର୍ତ୍ତା ଆଡଭୋକେଟ ବିଜୟ ଦାଶ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ବିଜୟ ସାହୁ, ସଂପାଦକ ପ୍ରଫୁଲ୍ଲ ସାହୁ, କାର୍ଯ୍ୟକର୍ତ୍ତା ନିରଂଜନ ସାହୁ , ଧର୍ମେଶ ନାୟକ, ରଂଜନ କୁମାର ବିଶ୍ବାଳ, ବିଜୟ ବେହେରା, ନରେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରସଙ୍ଗରେ ମତ ରଖିଥିଲେ। ଲୋକଙ୍କ ଭାବାବେଗ ଦୃଷ୍ଟିରୁ ମୂର୍ତ୍ତି କଟକଣା ହଟାଇବା ପାଇଁ ବୈଠକରେ ମତ ରଖାଯାଇଥିବା ବେଳେ ସରକାର କଣ ଘୋଷଣା କରୁଛନ୍ତି, ତାହା ଉପରେ ନଜର ରହିଛି ।
ସୂଚନାଯୋଗ୍ୟ ଯେ ୪ ଫୁଟ୍ ମୂର୍ତ୍ତି ଓ ପରଦା ଟଣା ଭଳି ନିଷ୍ପତ୍ତିକୁ ବିରୋଧ କରି କଟକରେ ଅସନ୍ତୋଷ ତୀବ୍ର ହେବାକୁ ଲାଗିଛି। ପ୍ରାୟ ୪୦ଟି ସାମାଜିକ ସଂଗଠନ ଜାରି ରଖିଛନ୍ତି । ପରିସ୍ଥିତି ଅସ୍ବାଭାବିକ ରୂପ ନେଉଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ କକ୍ଷରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା କଟକର ଲୋକ ପ୍ରତିନିଧି ଓ ଶାନ୍ତି କମିଟିର କର୍ମକର୍ତ୍ତା ମାନଙ୍କୁ ଡାକି ଆଲୋଚନା କରିଛନ୍ତି । ତେବେ ମୂର୍ତ୍ତି ସରକାରଙ୍କ ନିଷ୍ପତ୍ତିକୁ ଦୃଢ ବିରୋଧ କରିଥିଲେ କଟକ ବାସିନ୍ଦା । ୯ଦିନ ଧରି ବର୍ଷା ଖରାକୁ ଖାତିର ନକରି ୪୦ ସାମାଜିକ ସଙ୍ଗଠନର କର୍ମକର୍ତ୍ତା ଦୁର୍ଗା ମା’ଙ୍କ ମୂର୍ତ୍ତିର ଆକୃତିକୁ ପୂର୍ବଭଳି ଅପରିବର୍ତ୍ତିତ ରଖିବାକୁ ଦାବି କରି ବିକ୍ଷୋଭ ଜାରି ରଖିଥିଲେ । ଏହି ପ୍ରସଙ୍ଗକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ କଂଗ୍ରେସ ସରକରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ବିଜେପି କଟକ ଡାକରକା ଦେଇଥିଲା ।