କନକ ବ୍ୟୁରୋ : କରୋନା ଯୋଗୁଁ ପାଠପଢା ପ୍ରଭାବିତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପରୀକ୍ଷା ଲଦି ଦିଆଯାଉଛି । ଏଭଳି ଅଭିଯୋଗ କରି ରାଜଧାନୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ । ବିଶେଷ କରି ଏନଏସୟୁଆଇ ସମର୍ଥିତ ଛାତ୍ରଛାତ୍ରୀ ପ୍ରତିବାଦକୁ ଓହ୍ଲାଇଛନ୍ତି । ହେଲେ ପରୀକ୍ଷା ସମକ୍ଷରେ ମତ ଦେଇଛି ଏବିଭିପି । ବିଜୁ ଜନତା ଦଳର ଛାତ୍ର ସାମୁଖ୍ୟ କହିଛି, ପରୀକ୍ଷା ନେଇ ସରକାରଙ୍କ ନିଷ୍ପତିକୁ ଅପେକ୍ଷା କରିବା ଉଚିତ୍ ।
ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ବାତିଲ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି, ଓଡିଶା ଛାତ୍ର କଂଗ୍ରେସ । ପ୍ଲାକାର୍ଡ, ବ୍ୟାନର ଧରି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏଥିରେ ସାମିଲ ହୋଇଛନ୍ତି ଏନଏସୟୁଆଇ ସମର୍ଥିତ ବିଭିନ୍ନ ଯୁକ୍ତ ଦୁଇ କଲେଜର ଶତାଧିକ ଛାତ୍ରଛାତ୍ରୀ । ରାସ୍ତା ଉପରେ ବସି ବୋର୍ଡ ପରୀକ୍ଷା ବାତିଲ ଦାବି ସହ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରାଯାଉଛି ।
ପ୍ଲସ-ଟୁ ବୋର୍ଡ ଏକଜାମ୍ ବାତିଲ କରି କ୍ୱାର୍ଟର ଏଣ୍ଡ ଏକଜାମ ମାର୍କ ଆଧାରରେ ମୂଲ୍ୟାୟନ କରି ପରୀକ୍ଷା ଫଳ ପ୍ରକାଶ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏନଏସୟୁଆଇ ସଂଗଠନର ଅଭିଯୋଗ, କୋଭିଡ ଯୋଗୁଁ ମାତ୍ର ୨୦ ପ୍ରତିଶତ ପାଠ ପଢା ହୋଇପାରିଛି । ତେଣୁ ଛାତ୍ରଛାତ୍ରୀଙ୍କ ଉପରେ କାହିଁକି ପରୀକ୍ଷା ଲଦି ଦିଆଯାଉଛି ।
ସେପଟେ ପ୍ଲସଟୁ ପରୀକ୍ଷାକୁ ନେଇ ଛାତ୍ର ସଂଗଠନ ମଧରେ ମତଭେଦ ଦେଖିବାକୁ ମିଳିଛି । ଏନଏସୟୁ ପରୀକ୍ଷା ବାତିଲ୍ ଦାବି କରୁଥିବା ବେଳେ ପରୀକ୍ଷା ସପକ୍ଷରେ ମତ ରଖିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଅନ୍ୟପଟେ ବିଜୁ ଛାତ୍ର ଜନତା ଦଳ କହିଛି, ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଉଚିତ ନିଷ୍ପତିକୁ ଅପେକ୍ଷା କରିବା ଉଚିତ୍ । ପୂର୍ବରୁ ଯୁକ୍ତ ଦୁଇ ପରୀକ୍ଷା ସଠିକ୍ ସମୟରେ ହେବ ବୋଲି ପ୍ରତିକ୍ରିୟା ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ହେଲେ କମ ପାଠ ପଢାଯାଇଥିବାରୁ ପରୀକ୍ଷା କେମିତି ହେବ, କେବେ ହେବ ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି ।
ପରୀକ୍ଷା ନକରିବାକୁ ରାଜରାସ୍ତାରେ ଆନ୍ଦୋଳନ ମଧ୍ୟରେ ରାଜ୍ୟ ସରକାର ପରୀକ୍ଷାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ମୁଖ୍ୟ ଶାସନ ସଚିବ ଦେଇଥିବା ସୂଚନା ଅନୁସାରେ, କେଜିରୁ ନବମ ଯାଏଁ କ୍ଲାସ ପ୍ରମୋସନ ପରୀକ୍ଷା ହେବ । ସେହିଭଳି ଏକାଦଶରୁ ଦ୍ୱାଦଶକୁ ଉତୀର୍ଣ୍ଣ ହେବା ପାଇଁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପଡିବ । ଏହି ପରୀକ୍ଷା କ୍ଲାସରୁମ ଆସେସମେଂଟ ଆଧାରରେ କରାଯିବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବୋର୍ଡ ଓ ପରିଷଦ ପକ୍ଷରୁ ବ୍ୟବସ୍ଥା ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନ ସମସ୍ତ ପରୀକ୍ଷା ପୂର୍ବ ଗାଇଡଲାଇନ ଅନୁଯାୟୀ କରାଯିବ ।