ବାବୁଙ୍କୁ ସରକାରଙ୍କ ନୂଆବର୍ଷ ଭେଟି । ୨୭ ଆଇଏଏସ ଓ ୧୬ ଆଇପିଏସଙ୍କୁ ମିଳିଲା ପଦୋନ୍ନତି । ନୂଆବର୍ଷରେ ହୋଇପାରେ ବଡଧରଣର ଅଦଳବଦଳ

ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଓ କମିଶନରେଟ୍ ପୋଲିସ ଡିସିପିଙ୍କୁ ନେଇ କଳ୍ପନାଜଳ୍ପନା

349

କନକ ବ୍ୟୁରୋ: ପ୍ରଶାସନିକ ଅଧିକାରୀଙ୍କୁ ନୂଆବର୍ଷ ଭେଟିଦେଇଛନ୍ତି ରାଜ୍ୟ ସରକାର । କାହାକୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି ତ ଆଉ କିଏ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପଦବିକୁ ଉତୀନ୍ନ ହୋଇଛନ୍ତି । ପାଖାପାଖି ୪୩ ଜଣ ଆଇଏଏସ ଓ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ମିଳିଛି ।

ମୋଟ ୨୭ ଜଣ ଆଇଏଏସ ଅଫିସର ଓ ୧୬ ଜଣ ଆଇପିଏସ ଅଫିସରଙ୍କୁ ପଦୋନ୍ନତି ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ୨୦୨୦ ଜାନୁୟାରୀ ପହିଲାରୁ ଏସବୁ ନିର୍ଦ୍ଦେଶ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ । ୧୯୯୫ ବ୍ୟାଚର ଆଇଏଏସ ଅଫିସର ତଥା ଶିଳ୍ପ ସଚିବ ହେମନ୍ତ ଶର୍ମା, ଶକ୍ତି ସଚିବ ବିଷ୍ଣୁପଦସେଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଚିତ୍ର ଅରମୁଗମ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କୁ ପ୍ରମୁଖ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ସେହିପରି ୫ଜଣ ଅଧିକାରୀଙ୍କୁ ଶାସନ ସଚିବ ପାହ୍ୟା, ୧୨ ଜଣ ଆଇଏଏସଙ୍କୁ ଅତିରିକ୍ତ ଶାସନ ସଚିବ ପାହ୍ୟା ଓ ୫ ଜଣ ଆଇଏଏସ ଅଫିସରଙ୍କୁ ଯୁଗ୍ମ ଶାସନ ପାହ୍ୟାକୁ ପଦୋନ୍ନତି କରାଯାଇଛି ।

ସେହିପରି ୧୯୯୫ ବ୍ୟାଚର ଆଇପିଏସ ରାଧାକୃଷ୍ଣ ଶର୍ମା, ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସନ୍ତୋଷ ବାଲାଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି । ୨୦୦୨ ବ୍ୟାଚର ଆଇପିଏସ ନରସିଂହ ଭୋଳ ଓ ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ଆଇଜି ପାହ୍ୟା ଓ ୨୦୦୬ ବ୍ୟାଚର ଆଇପିଏସ ଅନିରୁଦ୍ଧ କୁମାର ସିଂ ସହ ଅନୁପ କୁମାର ସାହୁଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଏହି ପଦୋନ୍ନତି ସହ ନୂଆ ବର୍ଷରେ ଆଇପିଏସ, ଆଇଏଏସ ସ୍ତରରେ ବଡ ଧରଣର ଅଦବଦଳ ହୋଇପାରେ । ବିଶେଷ କରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଭୁବନେଶ୍ୱର କମିସନରେଟ ପୁଲିସ ଡିସିପି କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।