ଯୁକ୍ତ-୨ ପରୀକ୍ଷା ଲାଗି ଜୋରଦାର ପ୍ରସ୍ତୁତି । ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି

458

କନକ ବ୍ୟୁରୋ : ଆସନ୍ତା ଯୁକ୍ତ ୨ ପରୀକ୍ଷା ନେଇ ଜୋରଦାର ହୋଇଛି ପ୍ରସ୍ତୁତି । ପୂର୍ବ ନିଷ୍ପତି ଅନୁସାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି । ତେବେ ଏନେଇ ପରୀକ୍ଷା ନିୟନ୍ତ୍ରକ, ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସମସ୍ତ କଲେଜକୁ ଉଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଏଥିରେ ଆସନ୍ତା ୭ ତାରିଖ ମଧ୍ୟରେ ସିସିଟିଭି ଲଗାଇବାକୁ ତାଗିଦ କରାଯାଇଛି । ଏଥିସହିତ ଏ ସମ୍ପର୍କିତ ଅନ୍ୟ ସମସ୍ତ ତଥ୍ୟ ପରିଷଦ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା କରିବାରେ ବିଫଳ ହେଲେ ଏଥର ପରୀକ୍ଷା କେନ୍ଦ୍ର ହେବନାହିଁ । ସେଠାକାର ଛାତ୍ରଛାତ୍ରୀ ଅନ୍ୟ କଲେଜ ତଥା ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ । ତଥ୍ୟ ମିଳିବା ପରେ ଏବର୍ଷ କେତେ ପରୀକ୍ଷା କେନ୍ଦ୍ର କରାଯିବ, ସେ ନେଇ ଚୂଡାନ୍ତ ନିଷ୍ପତି ନିଆଯିବ ।

ଚଳିତ ବର୍ଷ ପରୀକ୍ଷାରେ ସିସିଟିଭି ଲଗାଇବାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପରୀକ୍ଷା କେନ୍ଦ୍ରର ସମସ୍ତ ହଲ, ଅଫିସ ରୁମ, ପ୍ରଶ୍ନପତ୍ର ରହିଥିବା ସ୍ଥାନ , ପ୍ରଶ୍ନପତ୍ର ଖୋଲାଯିବା ସ୍ଥାନ , ପ୍ରବେଶ ପଥ, ମୁଖ୍ୟ ଫାଟକ ଓ ଯାଂଚସ୍ଥଳରେ ସିସିଟିଭି ଲଗାଇବାକୁ କୁହାଯାଇଛି । ଏହାଛଡା କ୍ୟାମ୍ପସ ପରିସର କ୍ଲାସରୁମରୁ ଅଫିସକୁ ସଂଯୋଗ କରୁଥିବା ରାସ୍ତାରେ ବି ସିସିଟିଭି ଲାଗିବ । ଏଥିସହ କ୍ୟାମ୍ପସର ଅନ୍ୟାନ୍ୟ ପ୍ରମୁଖ ସ୍ଥାନ, ଲୋକାରଣ୍ୟ ଅଂଚଳରେ ସିସିଟିଭି ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷା ସମୟରେ ବିଦ୍ୟୁତ ବିଭ୍ରାଟ ବି ଦେଖାଦେଇପାରେ । ତେଣୁ ଅତି କମରେ ୫ ଘଂଟା ଲାଗି ବିଦ୍ୟୁତ ବ୍ୟବସ୍ଥା କରିବାକୁ ସମସ୍ତ କଲେଜ ଅଧ୍ୟିକ୍ଷଙ୍କୁ ନିର୍ଦ୍ଦେଶ ବି ଦିଆଯାଇଛି । ପରୀକ୍ଷା ହଲ ଓ ପରୀକ୍ଷା ପରିଚାଳନା ହବରେ ସିସିଟିଭି କ୍ୟାମେରା ୨୪ ଘଂଟା ଚାଲୁ ରଖିବା ନିହାତି ଆବଶ୍ୟକ । ଚଳିତମାସ ୨୭ରୁ ଯୁକ୍ତଦୁଇ ପ୍ରାକ୍ଟିକାଲ ଓ ମାର୍ଚ ୩ରୁ ଥିଓରୀ ପରୀକ୍ଷା ହେବ ।