ଆଧାର-ମୋବାଇଲ୍ ସଂଯୋଗ ସହଜ କରିବାକୁ ଯୋଜନା କରୁଛନ୍ତି ସରକାର

32

ସୁପ୍ରିମକୋର୍ଟଙ୍କ ଆଦେଶ ପାଳିବାକୁ ଯାଇ ମୋବାଇଲ୍ ଫୋନ୍ ବ୍ୟବହାରକାରୀମାନେ ବିଶେଷକରି ବରିଷ୍ଠ ନାଗରିକମାନଙ୍କ ମୋବାଇଲ୍ ସହ ଆଧାର ସଂଯୋଗ କରିବାକୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ସେମାନଙ୍କ ପାଇଁ ଆଶ୍ୱସ୍ତି ଆସିଛି । ଏ ସକାଶ ଖୁବ୍ ଶୀଘ୍ର ‘ପ୍ରକ୍ସି ଅଥରାଇଜେସନ୍’କୁ ଅନୁମତି ଦିଆ ଯିବ । ଅର୍ଥାତ୍ ଜଣେ ବ୍ୟକ୍ତିଙ୍କ ପାଇଁ ଅନ୍ୟ ଜଣେ ଆଧାର-ମୋବାଇଲ୍ ଲିଙ୍କ୍ କରି ପାରିବେ ।

ଏଥିପାଇଁ ଚିନ୍ତା କରାଯାଇଥିବା ବିକଳ୍ପଗୁଡ଼ିକ ନିମନ୍ତେ ଟେଲିକମ୍ କମ୍ପାନିଙ୍କ ପରାମର୍ଶ ନେଇ ସରକାର ବିଚାର କରୁଛନ୍ତି । ଏହି ବିକଳ୍ପ ବ୍ୟବସ୍ଥାଗୁଡ଼ିକ ହେଉଛି ଯେଉଁମାନଙ୍କ ଟିପଚିହ୍ନ ଅସ୍ପଷ୍ଟ ସେମାନଙ୍କ ଆଇରିସ୍ ସ୍କାନ୍ କରିବା ଏବଂ ବରିଷ୍ଠ ନାଗରିକମାନଙ୍କ ଘରକୁ ଯିବା । ବିକଳ୍ପଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ମୋବାଇଲ୍ ବ୍ୟବହାରକାରୀଙ୍କ ନିମନ୍ତେ ସହଜ ହେବ ସେ ସଂକ୍ରାନ୍ତରେ ନିର୍ଦେଶାବଳୀ ଜାରି କରିବାକୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଯୋଜନା କରୁଛି । ଫଳତଃ, ସର୍ବସାଧାରଣ ଅତି କମ୍ ଅଡୁଆରେ ସମ୍ମୁଖୀନ ହୋଇ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ମୋବାଇଲ୍-ଆଧାର ସଂଯୋଗ କରିବାକୁ ସମର୍ଥ ହେବେ । ପୂର୍ବରୁ ସରକାର ଫୋନ୍ରେ ଆଧାର ସଂଯୋଗ କରିବା ପ୍ରସଙ୍ଗ ରଖି ନ ଥିବାରୁ ଏବଂ ତାହା ସମୟ ସାପେକ୍ଷ ହୋଇଥିବାରୁ ଜନ ଅସନ୍ତୋଷ ଦେଖା ଦେବ ବୋଲି ଉଦ୍ବେଗ ଉପୁଜି ଥିଲା ।

ପ୍ରକ୍ସି ଅଥରାଇଜେସନ୍ ବିକଳ୍ପରେ ଜଣେ ବରିଷ୍ଠ ନାଗରିକ ବ୍ୟବହାର କରୁଥିବା ମୋବାଇଲ୍ ନିମନ୍ତେ ତାଙ୍କ ନୋମିନି ହୋଇଥିବା ବ୍ୟକ୍ତିଜଣଙ୍କର ଆଧାର ସଂଯୋଗ ଯାଞ୍ଚ କରାଯିବ । ଏ ସୁବିଧା କେବଳ ବରିଷ୍ଠ ନାଗରିକମାନଙ୍କ ନିମନ୍ତେ ସୀମିତ ରହିବ କିଂବା ସମସ୍ତଙ୍କ ପାଇଁ ଲାଗୁ କରାଯିବ ତାହା ଏ ଯାବତ୍ ସ୍ପଷ୍ଟ କରାଯାଇ ନାହିଁ । ଏହି ପଦକ୍ଷେପ ନିଆ ଗଲେ ମୋବାଇଲ୍ ସେବା ଯୋଗାଇଥିବା ସଂସ୍ଥାନର ଦୋକାନ ଆଗରେ ଦୀର୍ଘ ସମୟ ଧରି ଅପେକ୍ଷା କରିବା ଏବଂ ମେସିନ୍ ନ ମିଳିବାର ଆଦି ସମସ୍ୟା ସହଜ ହୋଇ ପାରିବ ।

ରେଜିଷ୍ଟ୍ରନ୍ ସମୟରେ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆକୁ ଦିଆ ଯାଇଥିବା ମୋବାଇଲ୍ ନମ୍ବର ଯଦି ଏକା ହୋଇଥାଏ ତେବେ ଆଧାର ସଂଯୋଗ ଆହୁରି ସରଳ ହୋଇ ପାରିବ। ଆଇନ ଅନୁଯାୟୀ, ଟେଲିକମ୍ କମ୍ପାନିଗୁଡ଼ିକ ସହ ବ୍ୟକ୍ତି ବିଶେଷଙ୍କ ଆଧାର ବିବରଣୀ ସେୟାର୍ କରିବାକୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଅନୁମତି ପାଇ ନ ଥିଲେ ମଧ୍ୟ ସେବା ଯୋଗାଣକାରୀ ଯୋଗାଇ ଥିବା ଓ୍ଵାନ୍ ଟାଇମ୍ ପାସଓ୍ଵାର୍ଡ ଭେରିଫାଏଡ୍ ପ୍ରୋସେସ୍ ମାଧ୍ୟମରେ ଏହା କରି ପାରିବ । ବାୟୋମାଟ୍ରିକ୍ସ୍ ନିଶ୍ଚିତ କରିବାକୁ ମୋବାଇଲ୍ ସହ ଏକ ଛୋଟ ସ୍କାନର୍ ସଂଯୁକ୍ତ କରି ଟେଲିକମ୍ କମ୍ପାନିମାନେ ମୋବାଇଲ୍ ବ୍ୟବହାରକାରୀଙ୍କ ଘରକୁ ମଧ୍ୟ ଯିବାର ବିକଳ୍ପ ବ୍ୟବସ୍ଥା ଉପରେ ବିଚାର କରାଯାଉଛି ।

ଟେଲିକମ୍ ସଚିବ ଅରୁଣା ସୁନ୍ଦରରାଜନ କହିଛନ୍ତି, ବିଭିନ୍ନ ସମସ୍ୟା ସମ୍ପର୍କରେ ସରକାର ସଚେତନ ଅଛନ୍ତି। ଏହାର ସମାଧାନ ପାଇଁ ନିକଟ ଅତୀତରେ ସରକାର ମୋବାଇଲ୍ ଅପରେଟର୍ ଏବଂ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ସହ ଏକ ବୈଠକରେ ବସିଥିଲେ । ଉଭୟ ଟେଲିକମ୍ କମ୍ପାନି ଏବଂ ଗ୍ରାହକମାନଙ୍କ ପାଇଁ ଆମେ ସମସ୍ୟାର ସରଳୀକରଣ କରିବାକୁ ଉଦ୍ୟମ କରୁଛୁ ।

ସିମ୍ କାର୍ଡ ସହ ଆଧାର ସଂଯୋଗ କରିବାକୁ ମୋବାଇଲ୍ ବ୍ୟବହାରକାରୀମାନେ ଟେଲିକମ୍ ଅପରେଟରଙ୍କର ଠାରୁ ଜରୁରୀ ଏବଂ ଏକାଧିକ ବାର୍ତ୍ତା ପାଉଛନ୍ତି । ଏହା ତୁରନ୍ତ ସଂଯୋଗ ନ କଲେ ସେବା ବନ୍ଦ କରି ଦିଆଯିବ ବୋଲି ସେମାନଙ୍କୁ କୁହା ଯାଉଛି ।