କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ ତାରିଖରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୯ଟି କାର୍ଯ୍ୟ ଦିବସ ରହିଛି । ଏଥର ସଂସଦର ମୌସୁମୀ ଅଧିବେଶନ ତୋଫାନୀ ହେବ ବୋଲି ଆଶଙ୍କା କରାଯାଉଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସବୁ ରାଜନୈତିକ ଦଳକୁ ଡାକି ବୈଠକ କରିଛନ୍ତି । ପ୍ରାୟ ୩୦ଟି ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିବା ଏହି ବୈଠକରେ ମୋଦୀ ଆଶ୍ୱାସନା ଦେଇଛନ୍ତି, ଯେ ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗୃହରେ ସାର୍ଥକ ଓ ଶାନ୍ତିପୂର୍ଣ୍ଣ ଢଙ୍ଗରେ ଆଲୋଚନା ହେବା ଉଚିତ୍ ।
କରୋନାର ଦ୍ୱିତୀୟ ଲହରରେ ଦେଶରେ ୪ ଲକ୍ଷ ୧୩ ହଜାର ଲୋକଙ୍କ ମୃତ୍ୟୁ ଓ ସରକାର ଉପରେ ଉଠୁଥିବା ପ୍ରଶ୍ନ ଏହି ଅଧିବେଶନରେ ଝଡ ସୃଷ୍ଟି କରିବ । ଏହା ଛଡା ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଏହା ଛଡା ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ ମଧ୍ୟ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଏପଟେ ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳ ବିଧାନ ପରିଷଦ କଥା ଉଠାଇଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ବୈଠକରେ ବିଜେଡିର ପ୍ରସନ୍ନ ଆଚାର୍ଯ୍ୟ ଓ ପିନାକୀ ମିଶ୍ର ବିଧାନପରିଷଦ ବିଲ୍ ସହ ମହିଳା ସଂରକ୍ଷଣ ବିଲ୍ ଓ ଅନୁସୂଚିତ ଜନଜାତି ତାଲିକା ସଂକ୍ରାନ୍ତୀୟ ବିଲ୍ ଆଣିବା ପାଇଁ ଦାବି କରିଛନ୍ତି ।