ବ୍ୟାଙ୍କିଙ୍ଗ ଓ ଏଟିଏମ୍ ସେବା ଯୋଗାଇବା ପାଇଁ ଜୋରଦାର ଉଦ୍ୟମ । ମୋବାଇଲ୍ ଟାୱାର ଉପରେ ଗୁରୁତ୍ୱ, ବିନା ଇଂଟରନେଟରେ ସେବା ଦେବା ପାଇଁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଲେ ସରକାର ।

79

କନକ ବ୍ୟୁରୋ : ବିଜୁଳି ସମସ୍ୟା ଭିତରେ ଛନ୍ଦି ହୋଇଯାଇଛି ବାତ୍ୟା ପ୍ରଭାବିତ ଅଂଚଳର ବ୍ୟାଙ୍ଗିକ୍ ବ୍ୟବସ୍ଥା । ନା’ ଏଟିଏମରୁ ଟଙ୍କା ଉଠାଣ ହୋଇପାରୁଛି ନା’ ବ୍ୟାଙ୍କରେ ଟଙ୍କା ଦେଣଲେଣ ହୋଇପାରୁଛି । ଆଉ ଏହି ସମସ୍ୟାର ମୁକାବିଲା ପାଇଁ ବସୁଛି ତୁହାକୁ ତୁହା ବୈଠକ । ହୁଏତ ଖୁବ୍ ଶୀଘ୍ର ସ୍ୱାଭାବିକ୍ ହୋଇଯିବ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ।

କେବେ ସ୍ୱାଭାବିକ ହେବ ବ୍ୟାଙ୍କିଙ୍ଗ୍ ସେବା ? କେବେ ମିଳିବ ଏଟିଏମରେ ଟଙ୍କା ? ବାତ୍ୟା ପ୍ରଭାବିତଙ୍କ ଦୁଃଖ ଆହୁରି ବଢ଼ିଯାଉଛି, ଯେତେବେଳେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସ୍ୱାଭାବିକ ହୋଇପାରୁନି, ଅଧିକାଂଶ ଏଟିଏମ୍ କାମ କରୁନାହିଁ । ଯେତିକି ବ୍ୟାଙ୍କ ଖୋଲିଛି, ଇଂଟରନେଟ୍ କାମ କରୁନଥିବାରୁ ବ୍ୟାଙ୍କିଙ୍ଗ୍ ସେବା ମିଳିପାରୁନାହିଁ । ବାତ୍ୟା ଅଂଚଳରେ ଏଟିଏମ୍ ସେବା ମିଳୁନଥିବାରୁ ନଗଦ ଟଙ୍କାର ଘୋର ଅଭାବ ଦେଖାଦେଇଛି । ଲୋକଙ୍କ ମନରେ ପ୍ରଶ୍ନ, କେବେ ସ୍ୱାଭାବିକ ହେବ ସ୍ଥିତି ।

ସେପଟେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସୁଧାରିବା ପାଇଁ ତୁହାକୁ ତୁହା ବୈଠକ ଚାଲିଛି । ସରକାରଙ୍କ ହିସାବରେ ପୁରୀରେ ୨୩୯ ବ୍ୟାଙ୍କରୁ ୬୦ଟି କାମ କରୁଛି, ୨୭୩ ଏଟିଏମ୍ ମଧ୍ୟରୁ କାର୍ଯ୍ୟକ୍ଷମ ହୋଇଛି ମାତ୍ର ୨୦ଟି । ସେହିପରି ଖୋର୍ଦ୍ଧାରେ ୭୦୭ଟି ବ୍ୟାଙ୍କର ବ୍ରାଂଚ ମଧ୍ୟରୁ ୩୭୨ଟି କାମ କରୁଥିବା ବେଳେ ୧୧୬୪ ଏଟିଏମରୁ ମାତ୍ର ୧୯୭ଟି କାର୍ଯ୍ୟକ୍ଷମ ହୋଇଛି । କଟକରେ ୪୨୨ ବ୍ୟାଙ୍କ ଶାଖାରୁ ୨୬୦ଟି ଓ ୫୯୩ ଏଟିଏମରୁ ୧୬୨ଟି ଚାଲୁ କରାଯାଇଛି । ଆଉ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ସ୍ଥିତି ଅପେକ୍ଷାକୃତ ଭଲ ରହିଥିବା କହିଛନ୍ତି ସରକାର । ଇଂଟରନେଟ୍ ନଥିଲେ ମାନୁଆଲ୍ ଟଙ୍କା ନେଣଦେଣ ପାଇଁ ବ୍ୟାଙ୍କ୍ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ସେପଟେ ବ୍ୟାଙ୍କିଙ୍ଗ୍ ସେବାରେ କେତେ ସୁଧାର ଆସିଛି, ଏ ନେଇ ଆରବିଆଇ, ଏସବିଆଇ ସମେତ ଅନ୍ୟ ବ୍ୟାଙ୍କ୍ କର୍ତୃପକ୍ଷଙ୍କ ସହ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ମୋବାଇଲ ଟାୱାର ଉପରେ ଗୁରୁତ୍ୱ ଦିଆଯିବା ସହ ବ୍ୟାଙ୍କିଙ୍ଗ୍ କରେସ୍ପୋଂଡେଂଟ୍ ଓ ପିଏସଓ ଜରିଆରେ ଲୋକଙ୍କୁ ଟଙ୍କା ଯୋଗାଇବା ପାଇଁ ନିଷ୍ପତି ନିଆଯାଇଛି । ପ୍ରଭାବିତ ଅଂଚଳରେ ଯେଉଁ ବ୍ୟାଙ୍କକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ, ସେଠାରେ ଜେନସେଟ୍ ଜରିଆରେ ବ୍ୟାଙ୍କ୍ ଚଳାଇବା ଉପରେ ଗୁରୁତ୍ୱ ଦିଆଯାଉଛି ।