କରୋନା ମୁକାବିଲା : ଠିପି ଖୋଲା ମଦ ଦୋକାନ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି, ଆଜି ପରୀକ୍ଷା ହୋଇଥିବା ୯ରୁ ୯ ନମୂନା ଆସିଲା ନେଗେଟିଭ ।

4,881

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ସତର୍କତାମୂଳକ ପଦକ୍ଷେପ ନେଇ ଚାଲିଛନ୍ତି । ଏସବୁ ଭିତରେ ରାଜ୍ୟରେ ଥିବା ଠିପି ଖୋଲା ମଦ ଦୋକାନକୁ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଅବକାରୀ ବିଭାଗର ସଚିବ ଚିଠି ଲେଖି ଜଣାଇଛନ୍ତି । ଆଗାମୀ ନିଷ୍ପତି ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରହିବ ବୋଲି କୁହାଯାଇଛି ।

ସେହିଭଳି ଆଜି ପରୀକ୍ଷା ହୋଇଥିବା ସମସ୍ତ ନମୂନା ନେଗେଟିଭ ଆସିଛି । ଭୁବନେଶ୍ୱର ଆରଏମଆରସି ସେଣ୍ଟରରେ ପରୀକ୍ଷା ହୋଇଥିବା ୯ରୁ ୯ ନମୂନା ନେଗେଟିଭ ଆସିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟ ସରକାର ଏବେ କରୋନା ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛନ୍ତି ।

ଏସବୁ ଭିତରେ କରୋନା ବିରୋଧରେ ଲଢ଼େଇ ପାଇଁ ପୂରା ଜୋର ଲଗାଇ ଦେଇଛନ୍ତି ସରକାର । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଓ ଏଟିଏମରେ ଯଥେଷ୍ଟ ଟଙ୍କା ମହଜୁଦ ରଖିବାକୁ ଆଞ୍ଚଳିକ ଆରବିଆଇ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛି ରାଜ୍ୟ ଅର୍ଥ ବିଭାଗ । ସେପଟେ କୌଣସି ସ୍ଥାନରେ ୭ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ଭିଡ଼ ଜମୁଥିବା ସମସ୍ତ ରେଷ୍ଟୁରାଂଟ, କଫି ସପ୍, ବାର, କ୍ୟାଂଟିନ ସମେତ ଜନଗହଳି ହେଉଥିବା ସ୍ଥାନକୁ ତୁରନ୍ତ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ସମସ୍ତ ହୋଟେଲକୁ ସମାଜିକ ଦୂରତ୍ୱ ବଜାୟ ରଖିବା ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।