ଶତ୍ରୁ ହେବେ ସାବାଡ । ଆକାଶରେ ପଇଁତରା ମାରିବ, ଶତ୍ରୁର ସବୁ ଷଡଯନ୍ତ୍ର ଉପରେ ନଜର ରଖିବ ସେନାର ଆଖି ।

226

କନକ ବ୍ୟୁରୋ : ଆକାଶରେ ବଢ଼ିବ ସେନାର ଆଖି  । ୬ଟି ନୂଆ ଆୱାକ୍ସ ନିର୍ମାଣକୁ ମିଳିଲା କେନ୍ଦ୍ର ସରକାରଙ୍କ ଅନୁମତି  । ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଚୀନ୍ ନିଜର ଶତ୍ରୁ ମନୋଭାବ ଓ ଷଡ଼ଯନ୍ତ୍ର ବଜାୟ ରଖିଥିବା ବେଳେ ଧୀରେ ଧୀରେ ନିଜର ଶକ୍ତି ବୃଦ୍ଧି କରିଚାଲିଛି ଭାରତ  । ଆକାଶରେ ସେନାର ଆଖି କୁହାଯାଉଥିବା ୬ଟି ନୂଆ ଆୱାକ୍ସ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ସରକାର  । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ୫୬ଟି ମଧ୍ୟମ ଧରଣର ମାଲବାହୀ ବିମାନ କିଣିବାକୁ ମଧ୍ୟ ଅନୁମତି ଦେଇଛି  । ଏଥିପାଇଁ ପ୍ରାୟ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ  ।

ଏୟାରବର୍ଣ୍ଣ ଅର୍ଲି ୱାଣ୍ଣିଂ ଆଣ୍ଡ କଂଟ୍ରୋଲ ଏୟାରକ୍ରାଫ୍ଟ ବା ଆୱାକ୍ସ ଶତ୍ରୁର ଗତିବିଧି ଉପରେ ନଜର ରଖିଥାଏ  । ୬ଟି ଅୱାକ୍ସ ପାଇଁ ୧୦ ହଜାର ୯୯୦ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି  । ଆଉ ବିଦେଶୀ ସହଯୋଗରେ ଦେଶୀ କୌଶଳରେ ଏହି ପ୍ରକଳ୍ପ ହେବ  । ୬ଟି ଏୟାରବସ୍-୩୨୧ ବିମାନ ଉପରେ ଏହି ୬ଟି ଆୱାକ୍ସ ତିଆରି କରାଯିବ  । ଗତବର୍ଷ ଡିସେମ୍ବରରରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲା ପ୍ରତିରକ୍ଷା ମନ୍ତ୍ରାଳୟ

• ଶତ୍ରୁର ଗତିବିଧି ଉପରେ କଡ଼ା ନଜର ରଖିବାକୁ ଆୱାକ୍ସ ଅତି ଗୁରୁତ୍ୱପୂର୍ଣ୍ଣ

• ଶତ୍ରୁ ପକ୍ଷର ବିମାନ, କ୍ଷେପଣାସ୍ତ୍ର ଉପରେ ଏହା ନଜର ରଖେ

• ଆଗୁଆ ଚେତାବନୀ ଦେଇ ନିଜ ସେନାକୁ ସଜାଗ କରିଦେଇଥାଏ

• ବାଲାକୋଟ ଏୟାରଷ୍ଟ୍ରାଇକ ପରେ ଆୱାକ୍ସ ସଂଖ୍ୟା ବଢ଼ାଇବା ବିଷୟରେ ଚିନ୍ତା କଲା ବାୟୁସେନା

• ଚୀନ୍ ସହ ସୀମାରେ ଚାଲିଥିବା ଉତେଜନା ଆୱାକ୍ସର ଗୁରୁତ୍ୱକୁ ବଢ଼ାଇ ଦେଇଛି

• ଏବେର ଏହି ୬ଟି ଆୱାକ୍ସ ନିର୍ମାଣ ସରିବାକୁ ୭ ବର୍ଷର ସମୟ ସୀମା ରଖାଯାଇଛି

ବାୟୁସେନା ପାଖରେ ଏବେ ୩ଟି ଇସ୍ରାଏଲୀ ଫାଲକନ୍ ଆୱାକ୍ସ ରହିଛି  । ଏସବୁ ୩୬୦ ଡିଗ୍ରୀ ରାଡାର କଭରେଜ୍ ଦେଉଥିବା ବେଳେ ୪ ଶହ କିଲୋମିଟର ଦୂରତା ପର୍ଯ୍ୟନ୍ତ ଗତିବିଧିକୁ ନଜର ରଖିଥାଏ  । ସେହିପରି ଦୁଇଟି ସ୍ୱଦେଶୀ “ନେତ୍ରା’ ଆୱାକ୍ସ ମଧ୍ୟ ବ୍ୟବହାର କରୁଛି ବାୟୁସେନା  । ଏହି ଦୁଇଟି ୨୪୦ ଡିଗ୍ରୀର କଭରେଜ୍ ଦେଉଥିବା ବେଳେ ୨୫୦ କିଲୋମିଟର ରେଂଜ ପର୍ଯ୍ୟନ୍ତ ନଜର ରଖିଥାଏ  ।

ତେବେ ଚୀନ୍ ଓ ପାକିସ୍ତାନ ଏକ୍ଷେତ୍ରରେ ଭାରତ ଠାରୁ ଆଗରେ ଅଛନ୍ତି  । ଚୀନ୍ ପାଖରେ ପ୍ରାୟ ୩୦ଟି ଏହିପରି ଅନୁସନ୍ଧାନକାରୀ ବିମାନ ଥିବା ବେଳେ ପାକିସ୍ତାନ ପାଖରେ ୧୦ଟି ଆୱାକ୍ସ ରହିଛି  ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ୫୬ଟି ମଧ୍ୟମ ଧରଣର ମାଲବାହୀ ବିମାନ କିଣିବାକୁ ମଧ୍ୟ ଅନୁମତି ଦେଇଛି  । ଏଥିପାଇଁ ପ୍ରାୟ ୨୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ  ।