‘ରାଜ୍ୟରେ ଚାଲିଛି ଅଫିସର ରାଜ୍’ : ଫଟୋ ଦେଖାଇ ପ୍ରମାଣ ଦେଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର

148

କନକ ବ୍ୟୁରୋ: ‘ରାଜ୍ୟରେ ଏବେ ଅଫିସର ରାଜ୍ ଚାଲିଛି’ । ଏକାଧିକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉଠାଇ ସରକାରଙ୍କ ଟାର୍ଗେଟ କରିବା ସମୟରେ ଏଭଳି କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ମୁଖ୍ୟ ଶାସନ ସଚିବଙ୍କୁ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ ଭେଟିବା ପ୍ରସଙ୍ଗକୁ ଉଦ୍ଧାର କରି ସେ କହିଛନ୍ତି ଯେ, ରାଜ୍ୟରେ ଏବେ ବିଚିତ୍ର ଶାସନ ଚାଲିଛି । ଏଠି ଅଫିସରଙ୍କ ରାଜ୍ ଚାଲିଛି । ସେହିପରି ଡ୍ରାଇଭର ସଂଘ ସହ ଆଲୋଚନା ବେଳେ ପରିବହନ ମନ୍ତ୍ରୀ ବା ସଚିବ କେହି ବି ଉପସ୍ଥିତ ନଥିଲେ । ମୁଖ୍ୟ ଶାସନ ସଚବିଙ୍କ ସହ ମାତ୍ର ଜଣେ ବିଧାୟକ ଉପସ୍ଥିତ ଥିଲେ । ଖାଲି ଏତିକି ନୁହେଁ କୋଇଡା ବିଡିଓଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ ଉଠାଇ ଜୟନାରାୟଣ କହିଛନ୍ତି ଯେ, ସରକାରୀ ଅଫିସର କାହାକୁ ମାନୁ ନାହାନ୍ତି ବୋଲି ଆକ୍ଷେପ କରିଥିଲେ । ଅଫିସର ରାଜ୍ ପ୍ରସଙ୍ଗକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ନେତା ଓ ବିଧାୟକ ଗୃହ ଭିତରକୁ ଯାଇଥିଲେ ଏବଂ ଏନେଇ ଆଲୋଚନା କରିବାକୁ ଦାବୀ କରିଥିଲେ ।

ଏହି ପ୍ରସଙ୍ଗକୁ ନେଇ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ହୋଇଯିବା ପରେ ଉଭୟ ଦଳର ନେତା ଓ ବିଧାୟକ ବିଧାନସଭା ବାହାରକୁ ଆସି ସୋସିଆଲ ମିଡିଆରୁ ସଂଗୃହିତ ଫଟୋକୁ ଗଣମାଧ୍ୟମ ଆଗରେ ଦେଖାଇଥିଲେ । ଫଟୋରେ ମନ୍ତ୍ରୀ ଓ ଅଫିସରଙ୍କ ଭିତରେ ଥିବା ସମ୍ପର୍କ ତଥା ଅଫିସରଙ୍କ ପ୍ରତି ମନ୍ତ୍ରୀମାନଙ୍କର ଆନୁଗତ୍ୟ ଥିବା ଅଭିଯୋଗ କରିଥିଲେ ଜୟନାରାୟଣ ମିଶ୍ର । ଆଗକୁ ବି ଏହି ପ୍ରସଙ୍ଗକୁ ନେଇ ପ୍ରଶ୍ନ ଜାରୀ ରହିବ ବୋଲି ସେ କହିଛନ୍ତି ।