ଅପରେସନ ବ୍ଲାକଆଉଟ୍ । କ୍ୟାମେରାରେ କଏଦ ହେଲା ଲାଞ୍ଚୁଆ ବାବୁଙ୍କ ମୁହଁ, ଟଙ୍କା ଲୋଭରେ ବିକ୍ରି ହେଉଛନ୍ତି ସରକାରୀ ଅଧିକାରୀ ।

158

କନକ ବ୍ୟୁରୋ : ଭାରତୀୟ ସମ୍ବିଧାନ ଆମକୁ ଶୋଷଣ ବିରୋଧରେ ଅଧିକାର ଦେଇଛି । ଅର୍ଥାତ ଦେଶର ନାଗିରକଙ୍କୁ କେହି ଶୋଷଣ କରିପାରିବେନି । ଏହା ଆମର ମୌଳିକ ଅଧିକାର । ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ବି ଏହି ଅଧିକାର କୌଣସି ଭାରତୀୟଙ୍କୁ ମିଳିନାହିଁ, ଏହି କଥାକୁ ଆମେ ଜୋର ଦେଇ କହିପାରିବୁ । କାରଣ ପ୍ରତି ପାଦେ ପାଦେ ନାଗରିକର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ଦୁର୍ନୀତି, ଶୋଷଣର ଏକ ବଡ ମାଧ୍ୟମ ପାଲଟିଛି । ଟ୍ରାନ୍ସପାରେନ୍ସି ଇଂଟରନ୍ୟାସନାଲର ସର୍ଭେ କହୁଛି ବିଶ୍ୱର ୧୮୦ଟି ଦେଶ ମଧ୍ୟରୁ ଦୁର୍ନୀତିରେ ଭାରତର ସ୍ଥାନ ୭୮ । ଚୀନ ୮୭ ଏବଂ ପାକିସ୍ତାନ ୧୧୭ ନମ୍ବରରେ ରହିଛି । ଏ ନମ୍ବର ଅପେକ୍ଷା ଆପଣ ଅଧିକ ପରିଚିତ- ଦୁର୍ନୀତି ସହିତ ।

କାରଣ ଲାଂଚ, ପର୍ସେଂଟେଜ କିମ୍ବା କମିଶନ ନଦେଲେ ସରକାରୀ ଦପ୍ତରରେ କାମ ହୁଏନି । ଗୋଟିଏ ଟେବୁଲରୁ ଫାଇଲ ଆଗକୁ ବଢେନି । ଓଡିଶାରେ ଦୁର୍ନୀତି ରୋକିବାକୁ ଅନେକ ସଂସ୍ଥା ରହିଛି । ଦେଶ କିମ୍ବା ରାଜ୍ୟର ଆଇନ, ପ୍ରିଭେନ୍ସନ ଅଫ କରପସନ ଆକ୍ଟ ବା ଦୁର୍ନୀତି ବିରୋଧୀ ଆଇନ, ପୋଲିସ, ଭିଜିଲାନ୍ସ ଓ ଲୋକାୟୁକ୍ତ ଭଳି ସଂସ୍ଥା କାର୍ଯ୍ୟ କରୁଛି ।

ପ୍ରଶାସନିକ କଳକୁ ଅଧିକ ଉତରଦାୟୀ କରିବା ପାଇଁ ରାଜ୍ୟରେ ଏବେ ମୋ ସରକାର ଯୋଜନା କାର୍ଯ୍ୟକାରୀ ହେଉଛି । ୫-ଟି ବ୍ୟବସ୍ଥାରେ ସରକାର ଦୁର୍ନୀତି ଉପରେ ଅଙ୍କୁଶ ଲଗାଇବା ସହ ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ଆଣିବାକୁ ଉଦ୍ୟମ କରୁଛନ୍ତି । ଲୋକଙ୍କୁ ସେବା ଯୋଗାଇବାବେଳେ ଅଫିସରଙ୍କୁ ଅଧିକ ସମ୍ବେଦନଶୀଳ ହେବାକୁ ବାଧ୍ୟ କରୁଛନ୍ତି । ହେଲେ ବାସ୍ତବରେ ଏସବୁ କେତେଦୂର କାର୍ଯ୍ୟକାରୀ ହେଉଛି? ଲୋକେ ଏହାର ଫାଇଦା ପାଉଛନ୍ତି କି? ନା ଯୋଜନା ତା ବାଟରେ ଆଉ ବାବୁ, ଅଫିସରଙ୍କ କାର୍ଯ୍ୟଧାରା ତା ବାଟରେ ଚାଲୁଛି? ଏସବୁ ଆଶଙ୍କା ଓ ଆକଳନ ଉପରୁ ଆମେ ଆଜି ପରଦା ଉଠାଇବୁ । ଏମିତି ଖବର ଜଣାଇବୁ ଯାହା ଆପଣଙ୍କ ଆଖି ଖୋଲିଦେବ । ସତ, ଯାହା ଖବର ଜଗତରେ ଝଡ ଆଣିବ ।

ଅପରେସନ୍ ବ୍ଲାକଆଉଟରେ
– ଆମେ କରିବୁ ସାଧୁତାର ସବୁଠାରୁ ବଡ ପରୀକ୍ଷା
– ସରକାରୀ ବ୍ୟବସ୍ଥାରେ ସ୍ୱଛତାର ସହ କାମ କରୁଛନ୍ତି କି ଅଧିକାରୀ?
– ସାଧୁତାର ସହ କାମ କରୁଥିବା ନେଇ ଦ୍ୱାହି ଦେଉଥିବା ଅଧିକାରୀଙ୍କ ହେବ ପର୍ଦ୍ଦାଫାଶ
– ଖବର, ଯାହା ଆପଣଙ୍କୁ ଆନ୍ଦୋଳିତ କରିବ, ଭାବିବାକୁ ବାଧ୍ୟ କରିବ
– ସବୁଦିନ ସାମ୍ନା କରୁଥିବା ସମସ୍ୟା ମନୁଷ୍ୟକୃତ, ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
– ଉପୁରି କମାଇବାକୁ କିଭଳି ଆପଣଙ୍କ ଦୈନନ୍ଦିନ ଜୀବନ ସହ ଚାଲିଛି ଷଡଯନ୍ତ୍ର, ତାର ହେବ ପର୍ଦ୍ଦାଫାଶ

କେମିତି ହୋଇଥିଲା ଅପରେସନ ବ୍ଲାକଆଉଟ୍ :
– ରାଜ୍ୟରେ ସରକାରୀ ଅଧିକାରୀଙ୍କ ସାଧୁତାର ପରୀକ୍ଷା କରିଛି ଲିକିଂ ଗୁରୁ ଡଟ୍ କମ୍
– ସଂସ୍ଥାର ଦୁଇଜଣ ସାମ୍ବାଦିକ ଅଣ୍ଡର କଭର ଏଜେଂଟ୍ ସାଜି ସାରା ଓଡିଶାରେ ବୁଲିଥିଲେ
– ଏକ ନିର୍ଦ୍ଦିଷ୍ଟ କମ୍ପାନିର କର୍ମଚାରୀ ବୋଲି ନିଜକୁ ପରିଚୟ ଦେଇ ଅଧିକାରୀଙ୍କ ସହ କଥା ହେଇଥିଲେ
– ସରକାରୀ ଅଧିକାରୀଙ୍କ ନିଷ୍ଠା ଓ ପଦବୀ ପ୍ରତି ଦାୟିତ୍ୱକୁ ପରଖିଲାବେଳେ ଏହାକୁ କ୍ୟାମେରାରେ କଏଦ କରିଥିଲେ
– କମ୍ପାନିର ସାମଗ୍ରୀ ବିକ୍ରି କରିବାରେ ସହାୟତା ଲାଗି ଅଧିକାରୀଙ୍କୁମାନଙ୍କୁ ବଡଧରଣ ଉକ୍ରୋଚର ଅଫର କରିଥିଲେ
– କେଉଁଠି ୨ ଲକ୍ଷ ତ ଆଉ କେଉଁଠି ୫ ଲକ୍ଷର ପ୍ୟାକେଜ ଅଫର କରିବା ପରେ ବାବୁଙ୍କ ମନରେ ଆସିଥିଲା ଲୋଭ
– ଲୋକଙ୍କ ପ୍ରତି ନିଜ ଉତ୍ତର ଦାୟିତ୍ୱକୁ ଭୁଲି ଏହି କମ୍ପାନିର ସାମଗ୍ରୀ ବିକ୍ରି କରିବାରେ ସହାୟତା ପାଇଁ ଅସାଧୁ ବାଟ ବାହାର କରିଥିଲେ ବାବୁ
– କ୍ୟାମେରାରେ କଏଦ ସେହି ଡିଲର ଭିଡିଓ ସବୁ କନକ ନ୍ୟୁଜର ହସ୍ତଗତ ହୋଇଛି ।

– ଲିକିଂ ଗୁରୁ ଡଟ୍ କମ୍ ଜରିଆରେ ସବୁଠାରୁ ବଡ ଖୁଲାସା- ଅପରେସନ ବ୍ଲାକ୍ଆଉଟ୍
– ସେପଟେମ୍ବର ମାସରୁ ଆରମ୍ଭ ହୋଇଥିବା ଅପରେସନ, କାର୍ଯ୍ୟକାରୀ ହୋଇଥିଲା ଅକ୍ଟୋବରରେ
– ନିର୍ଦ୍ଦିଷ୍ଟ କଂପାନୀର ଅଧିକାରୀ କହି ଯୋଗାଯୋଗ ହୋଇଥିଲା ସରକାରୀ ଅଧିକାରୀଙ୍କ ସହ
– ଅର୍ଥର ଲାଳସା, ଅସାଧୁ ବାଟକୁ ଟାଣି ନେଇଥିଲା ଅଧିକାରୀଙ୍କୁ
– ନିର୍ଦ୍ଦିଷ୍ଟ କଂପାନିକୁ ଫାଇଦା ଦେବା ପାଇଁ ପଛାଉନଥିଲେ ସରକାରୀ ବାବୁ
– ସାରା ଓଡିଶାରେ ଚାଲିଥିବା ଏହି ଅସାଧୁ କାରବାରର ବଡ ପର୍ଦ୍ଦାଫାଶ