ସଂକ୍ରମିତ ଜିଲ୍ଲାରେ ସରକାରୀ ଅଫିସକୁ ସାଧାରଣ ଲୋକଙ୍କୁ ମନା । ସାମ୍ନାସାମ୍ନିି ବୈଠକ ଉପରେ କଟକଣା । ବିଏମସି ଓ ବିଡିଏ କାର୍ଯ୍ୟାଳୟ ଯାଇପାରିବେନି ଲୋକେ ।

171

କନକ ବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ଅଫିସରେ ସାଧରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । ଭୁବନେଶ୍ୱର ଓ କଟକ ସମେତ ଯେଉଁ ସବୁ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି ସେସବୁ ସ୍ଥାନର ସରକାରୀ ଅଫିସକୁ ସାଧାରଣ ଲୋକ ଯାଇପାରିବେ ନାହିଁ । ତେବେ ନିଜ ଅଭିଯୋଗ ଲୋକେ ଇ-ଅଭିଯୋଗ ପୋର୍ଟାଲ ଜରିଆରେ ଜଣାଇପାରିବେ ।

ଅନ୍ୟପଟେ ଅତିଜରୁରୀ କାମ ଥିଲେ ସର୍ବୋଚ୍ଚ ଅଧିକାରୀଙ୍କ ଅନୁମତି ନେଇ ଅଫିସ ଭିତରକୁ ଯାଇପାରିବେ । ଏହା ସହ ସାମନା ସାମନି ବୈଠକ କରିବା ଉପରେ କଟକଣା ଲଗାଇଛନ୍ତି ସରକାର । ଅତି ଜରୁରୀ ହେଲେ ଅନଲାଇନ ବୈଠକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ନା ସାମ୍ନି ବୈଠକ କଲେ ଅତି କମରେ ୨ ମିଟର ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ସରକାରୀ କାମ ମଧ୍ୟ ଯଥାସମ୍ଭବ ଭର୍ଚୁଆଲ ମାଧ୍ୟମରେ କରିବାକୁ ପରାମର୍ଶ ଦିଆଯାଇଛି ।

ଅନ୍ୟପଟେ କରୋନା ଯୋଗୁଁ ସାଧାରଣ ଲୋକଙ୍କୁ ବିଏମସି ଓ ବିଡିଏ କାର୍ଯ୍ୟାଳୟ ମନା ହୋଇଛି । ଆସନ୍ତା ୧୨ ତାରିଖରୁ ଏପ୍ରିଲ ୩୦ ଯାଏଁ ଏହି କଟକଣା ବଳବତର ରହିବ । ଏହି ସମୟରେ ବିଏମସି ଓ ବିଡିଏ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ମନା କରାଯାଇଛି । ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଆଖିରେ ରଖି ଭୁବନେଶ୍ୱର ମହାନିଗର ନିଗମ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ।

ତେବେ ଏହି ସମୟରେ ଲୋକଙ୍କ ସେବା ଓ ସମସ୍ୟାର ସମାଧାନ କରିବା ପାଇଁ ତତ୍ପର ରହିବ ମହାନଗର ନିଗମ ପ୍ରଶାସନ । ତେଣୁ ଅଭିଯୋଗ କରିବାର ଥିଲେ ଅଫିସ ଟାଇମରେ ଫୋନରେ ଜଣାଇବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହାଛଡା ବିଏମସି , ବିଡିଏ ଏବଂ ସ୍ମାର୍ଟ ସିଟି ଲିମିଟେଡର ୱେସାଇଟ ଲିଙ୍କରେ ମଧ୍ୟ ଅଭିଯୋଗ କରିପାରିବେ । ତେବେ ଇମେଲରେ ୨୪ ଘଂଟିଆ ସେବା ଜାରି ରହିବ । ବିଜ୍ଞପ୍ତିରି ବିଏମସି, ବିଡିଏକୁ ଫୋନ କରିବା ପାଇଁ ଲ୍ୟାଣ୍ଡ ନଂବର ଓ ଇ-ମେଲ ଆଇଡି ଦିଆଯାଇଛି ।