ପେଟ ପାଇଁ ଜୀବନକୁ ବାଜି ଲଗାଉଛନ୍ତି ଶ୍ରମିକ । ୯ ତାଲାରେ ଉଲ୍ଲଂଘନ ହେଲା ସରକାରୀ ନିୟମ

446

କନକ ବ୍ୟୁରୋ: ଅସହାୟ ସାଜିଛନ୍ତି ଶ୍ରମିକ । ପେଟ ପାଇଁ ବିନା ସୁରକ୍ଷା ବ୍ୟବସ୍ଥାରେ କାମ କରୁଛନ୍ତି ଶ୍ରମିକ । ତା ପୁଣି ଆଉ କେଉଁଠି ନୁହେଁ, ରାଜ୍ୟର ପ୍ରମୁଖ ସରକାରୀ କାଯ୍ୟାଳୟ ୯ ତାଲାରେ । ଯେଉଁଠି ବଡ ବଡ ଅଫିସର, ବାବୁ ସବୁବେଳେ କାରବାର ସେଠାରେ ଶ୍ରମିକମାନେ ଏମିତି କାମ କରିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • ପେଟ ପାଇଁ ଜୀବନକୁ ବାଜି ଲଗାଇଛି ଶ୍ରମିକ
  • ୯ ତାଲାରେ ଉଲଂଘନ ହେଲା ସରକାରୀ ନିୟମ

୫ ମହଲାରେ ଚାଲିଛି କାମ । ବାଉଁଶ ଧଡା ଉପରେ ଛିଡା ହୋଇ କାମ କରୁଛନ୍ତି ଶ୍ରମିକ । ମାତ୍ର ୫ଟି ବାଉଁଶ ସାହାରାରେ ଜୀବନକୁ ବାଜି ଲଗାଇଛନ୍ତି ଶ୍ରମିକ । ଶ୍ରମିକଙ୍କ ପାଖରେ ନା ଅଛି ସେଫଟି ବେଲଟ ନା ଅଛି କାହା ମୁଣ୍ଡରେ ହେଲମେଟ । ଏଭଳି ବିପଦଶଙ୍କୁଳ ଅବସ୍ଥାରେ ଛିଡା ହୋଇଛନ୍ତି ଶ୍ରମିକ । ଖୋଦ ରାଜଧାନୀ ଛାତି ଉପରେ ଏମିତି କାମ କରୁଛନ୍ତି ଶ୍ରମିକ । ତେବେ କୌଣସି ବେସରକାରୀ ଅନୁଷ୍ଠାନର ନୁହେଁ, ରାଜ୍ୟ ସରକାରଙ୍କ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ୯ ତାଲାରେ ଏମିତି କଥା ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ଏହି କୋଠାରେ ବିଭାଗୀୟ ଅଧିକାରୀମାନେ ମୋହର ମାରନ୍ତି , କିନ୍ତୁ ବିଡମ୍ବନାର କଥା ଏଠି ଶ୍ରମିକଙ୍କ ସୁରକ୍ଷା କଥା ଭୁଲିଯାଇଛନ୍ତି ବିଭାଗୀୟ ଅଧିକାରୀ ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟ ଓ ଅଧିକାରୀ ଏହି କାର୍ଯ୍ୟାଳୟରେ ବସନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ କାଗଜପତ୍ର କାମ ଏହି କୋଠାରେ ହିଁ ହୁଏ । କିନ୍ତୁ ଦିନକୁ ଦିନ ୯ ତାଲାର ବାହାର ଅଂଶ ନଷ୍ଟ ହେବାରେ ଲାଗିଛି । ଆଉ ଏହାକୁ ସଜାଡିବାରେ ନିୟୋଜିତ ଅଛନ୍ତି ଏହି ଶ୍ରମିକ । କୋଠାର ବିଭିନ୍ନ ଅଂଶ ଭାଙ୍ଗି ଯାଇଥିବାବେଳେ ଏହାକୁ ସଜାଡୁଛନ୍ତି । ଏଭଳି ବିପଦଶଙ୍କୁଳ ଅବସ୍ଥାରେ କାମ କଲାବେଳେ ବହୁ ଭୟ ଲାଗୁଥିବା କ୍ୟାମେରା ଆଗରେ କହିଛନ୍ତି ଶ୍ରମିକ ।

ତେବେ ପ୍ରଶ୍ନ ଉଠୁଛି , ଏଠି କାମ କରୁଥିବା ଶ୍ରମିକଙ୍କ ସୁରକ୍ଷା ପାଇଁ ସରକାର ଚିନ୍ତିତ ନାହାନ୍ତି ନା ସବୁ ଦେଖି ଅଣଦେଖା କରୁଛନ୍ତି । ଶ୍ରମିକଙ୍କ ପାଇଁ ହେଉଥିବା ନିୟମ କଣ କେବଳ କାଗଜ କଲମରେ ରହିଯାଉଛି ନା ତାହା କାର୍ଯ୍ୟକାରୀ ବି ହେଉଛି ।