ନିର୍ମାଣ ଶ୍ରମିକଙ୍କୁ ବଣ୍ଟାଯିବ ୧୫୦୦ ଟଙ୍କା ଆର୍ଥିକ ସହାୟତା : ସମସ୍ତ ଜିଲ୍ଲା ଓ ମହାନଗର ନିଗମକୁ ଚିଠି ଲେଖିଲେ ଶ୍ରମ କମିସନର

2,652

କନକ ବ୍ୟୁରୋ : ତାଲାବନ୍ଦ ସମୟରେ ବେରୋଜଗାରୀ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଅର୍ଥରାଶି ନଗଦ ଆକାରରେ ଶ୍ରମିକମାନଙ୍କ ଘରକୁ ଘର ଯାଇ ବଣ୍ଟନ କରାଯିବ। ଏ ନେଇ ଶ୍ରମ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ଶ୍ରମ କମିସନରଙ୍କୁ ଚିଠି ଲେଖିଛନ୍ତି। ତଦନୁଯାୟୀ ଶ୍ରମ କମିସନର ସମସ୍ତ ଜିଲ୍ଲାପାଳ ଓ ୫ଟି ମହାନଗର ନିଗମ କମିସନରଙ୍କୁ ଚିଠି ଲେଖି ଅର୍ଥ ବଣ୍ଟନ କରିବା ନେଇ ମାର୍ଗଦର୍ଶିକା ପ୍ରଦାନ କରିଛନ୍ତି।

ଶ୍ରମ କମିସନର ଏନ୍‌. ଥିରୁମକ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ପଞ୍ଜୀକୃତ ହୋଇଥିବା ଶ୍ରମିକମାନଙ୍କୁ ଏହି ରାଶି ପ୍ରଦାନ କରାଯିବ। ଏନ୍‌ଆଇସି ଦ୍ବାରା ପ୍ରସ୍ତୁତ ଶ୍ରମିକମାନଙ୍କ ଡାଟାବେସ୍‌ ସମସ୍ତ ଜିଲ୍ଲା ପ୍ରଶାସନ ଓ ମହାନଗର ନିଗମକୁ ପ୍ରଦାନ କରାଯାଇଛି। ସ୍ବତନ୍ତ୍ର ସହାୟତା ରାଶି ସମ୍ପୃକ୍ତ ହିତାଧିକାରୀମାନଙ୍କ ଘର ଦୁଆରେ କିମ୍ବା ସେମାନଙ୍କ ଗାଁରେ ଥିବା ନିର୍ଦ୍ଦିଷ୍ଟ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରି ବଣ୍ଟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଜିଲ୍ଲାଓ୍ବାରୀ ଆବଶ୍ୟକ ଅର୍ଥରାଶି ଉଭୟ ଜିଲ୍ଲା ଶ୍ରମଅଧିକାରୀ ଓ ଜିଲ୍ଲାପାଳଙ୍କ ନାମରେ ଥିବା ଯୁଗ୍ମ ବ୍ୟାଙ୍କ ଖାତାକୁ ପଠାଇ ଦିଆଯାଇଛି।

ସହାୟତା ଅର୍ଥ ପ୍ରଦାନ ବେଳେ ହିତାଧିକାରୀମାନଙ୍କର ବ୍ୟାଙ୍କ୍‌ ପାସ୍‌ବୁକ୍‌, ଆଧାର କାର୍ଡ଼ ଓ ପଞ୍ଜୀକୃତ ହୋଇଥିବା ମୋବାଇଲ୍‌ ନମ୍ବରକୁ ଅଧିକାରୀ ଯାଞ୍ଚ କରିବେ। ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଶ୍ରମିକ କିମ୍ବା ଗତ ୩ ବର୍ଷ ଧରି ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠି ବାବଦରେ କୌଣସି ଜମା ଦେଇନଥିବା କିମ୍ବା ମୃତ୍ୟୁ ହୋଇଥିବା ଶ୍ରମିକମାନଙ୍କର ତଥ୍ୟ ଅଲଗା ଫର୍ମରେ ସଂଗ୍ରହ କରାଯିବ। ପରବର୍ତ୍ତୀ ସମୟରେ ସେମାନଙ୍କୁ ଏହି ଅର୍ଥ ପ୍ରଦାନ ନେଇ ଜିଲ୍ଲା ଶ୍ରମ ଅଧକାରୀ ନିଷ୍ପତ୍ତି ନେବେ। ପ୍ରତ୍ୟେକ ଦିନ କେତେ ଶ୍ରମିକମାନଙ୍କୁ ସହାୟତା ରାଶି ପ୍ରଦାନ କରାଗଲା ତାର ଟିକିନିଖି ହିସାବ ବ୍ଲକ୍‌ସ୍ତରରେ ଅପଡେଟ୍‌ କରାଯିବ। ବଳକା ଅର୍ଥରାଶିକୁ ଜିଲ୍ଲା ଶ୍ରମଅଧିକାରୀ ଓ ଜିଲ୍ଲାପାଳଙ୍କ ଯୁଗ୍ମ ବ୍ୟାଙ୍କ ଖାତାରେ ଜମା ରଖାଯିବ। ସ୍ବତନ୍ତ୍ର ଆର୍ଥିକ ସହାୟତା ରାଶି ବଣ୍ଟନ ପୂର୍ବରୁ ବ୍ଲକ୍‌ ଓ ସହରାଞ୍ଚଳ ଓ୍ବାର୍ଡ଼୍‌ ସ୍ତରର କର୍ମଚାରୀମାନେ ସ୍ଥାନୀୟ ଅଞ୍ଚଳର ହିତାଧିକାରୀମାନଙ୍କ ଏକ ତାଲିକା ପ୍ରସ୍ତୁତ କରିବେ।

ଅର୍ଥ ନେବାକୁ ଆସିଥିବା ପଞ୍ଜୀକୃତ ଶ୍ରମିକ ତାର ବିଓସି କାର୍ଡ଼୍‌ ଦେଖାଇବା ବାଧ୍ୟତାମୂଳକ କରାଯାଇଛି। ଆର୍ଥିକ ସହାୟତା ପ୍ରଦାନରେ ଯେପରି ସମ୍ପୂର୍ଣ୍ଣ ସ୍ବଚ୍ଛତା ରହିବ, ସେଥିପାଇଁ ଜିଲ୍ଲାପାଳ କିମ୍ବା ମହାନଗର ନିଗମ କମିସନର ଆବଶ୍ୟକ ପଦକ୍ଷେପ ନେଇପାରିବେ। ନିୟମିତ ପ୍ରତି ସପ୍ତାହରେ ଜିଲ୍ଲା ପ୍ରଶାସନ ଏହି ଯୋଜନାର ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ କରିବେ। ଅର୍ଥରାଶି ପ୍ରଦାନ ପରେ ଉଭୟ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମଅଧିକାରୀଙ୍କ ଦସ୍ତଖତ ଥାଇ ବିନିଯୋଗ ପ୍ରମାଣ ପତ୍ର ଶ୍ରମିକ କଲ୍ୟାଣ ବୋର୍ଡ଼କୁ ପଠାଯିବ। ଯୋଜନାର କାର୍ୟ୍ୟକାରିତାରେ ଯଦି କୌଣସି ଅନିୟମିତତା ବା ଆର୍ଥିକ ହେରଫେର୍‌ ଅଭିଯୋଗ ହୁଏ, ତାହେଲେ ସେଥିପାଇଁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଆଇନ ଅନୁଯାୟୀ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନେଇପାରିବେ ବୋଲି କମିସନର ଜଣାଇଛନ୍ତି।