କନକ ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଫେରିଛି ଆଗୁଆ ନିର୍ବାଚନ । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି, ମୌସୁମୀ ଅଧିବେଶନରେ ବିଳମ୍ବ । କୁହାଯାଉଛି ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଅଧିବେଶନ ଆରମ୍ଭ ହେବ । ଏବଂ ନିର୍ବାଚନ ପୂର୍ବରୁ ଏହା ଶେଷ ବିଧାନସଭା ଅଧିବେଶନ ହୋଇପାରେ । ଅର୍ଥାତ୍, ସରକାର ବିଧାନସଭା ଭଙ୍ଗ କରି ପାରନ୍ତି । ଏଭଳି ଚର୍ଚ୍ଚାକୁ ବଳ ଯୋଗାଇଛି ନେତାଙ୍କ ବୟାନ । ବିଜେଡି ନେତା ଅମର ଶତପଥୀ କହିଛନ୍ତି ଆଗୁଆ ନିର୍ବାଚନ ପାଇଁ ଲୋକଙ୍କ ସମର୍ଥନ ଦରକାର । ବିଜେଡି ସପକ୍ଷରେ ଜନ ସମର୍ଥନ ରହିଛି । ଯଦିଓ ଆଗୁଆ ନିର୍ବାଚନ କଥାକୁ ସେ ବିଜେଡି ସୁପ୍ରିମୋଙ୍କ ଉପରେ ଛାଡିଛନ୍ତି । ସେପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଆଗୁଆ ନିର୍ବାଚନ ପାଇଁ ସରକାର ମୌସୁମୀ ଅଧିବେଶନରେ ବିଳମ୍ବ କରୁଛନ୍ତି । ସେହିପରି ଆଗୁଆ ନିର୍ବାଚନ ନିଷ୍ପତିକୁ ଅଗଣତାନ୍ତ୍ରିକ କହି ଘେରିଛନ୍ତି ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ।