ସତର୍କ ନରହିଲେ ଭୁବନେଶ୍ୱରକୁ ଫେରିବ ଭୂତାଣୁ । ସଚେତନ ରହିବାକୁ ସରକାର ଦେଲେ ପରାମର୍ଶ, ସଂକ୍ରମଣ ନେଇ ସୂଚନା ଦେଉଛି ‘ସଚେତକ’ ଆପ୍ ।

571

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ପାଇଁ ଚ୍ୟାଲେଞ୍ଜ, ବଢ଼ିବାରେ ଲାଗିଛି ପଜିଟିଭ ସଂଖ୍ୟା । ଭୁବନେଶ୍ୱର କୋଭିଡ ଅବଜରଭର ତଥା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ଏହା କହିଛନ୍ତି । ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତି ଗର୍ଗ କହିଛନ୍ତି, ଭୁବନେଶ୍ୱରରେ କୋଭିଡ ମୁକାବିଲା ପାଇଁ ୬୭ଟି ଓ୍ଵାର୍ଡରେ ଓ୍ଵାର୍ଡ ସଚେତକ କମିଟି ଗଠନ ହୋଇଛି ।

ଏହି କମିଟିଗୁଡ଼ିକରେ ୨୫ ଜଣ ଲେଖାଏଁ ସଦସ୍ୟ ଅଛନ୍ତି । ଏଥିରେ ସ୍ୱେଚ୍ଛାସେବୀ, ବରିଷ୍ଠ ଅଧିକାରୀ, ଅବସରପ୍ରାପ୍ତ ଡାକ୍ତର ନିଜର ଓ୍ଵାର୍ଡରେ କୋଭିଡ ମୁକାବିଲା ପାଇଁ କାମ କରିବେ । ଏହି କମିଟିକୁ କିଟ, ଥର୍ମାଲ ସ୍କାନର ଦିଆଯାଇଛି। ପ୍ରତି ଓ୍ଵାର୍ଡରେ ହ୍ଵାଟସ୍‌ଆପ୍‌ ଗ୍ରୁପ କରାଯାଇଛି। ୫ଟି ଓ୍ଵାର୍ଡରେ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏମାନଙ୍କୁ ତାଲିମ ଦିଆଯାଇଛି ।

ଭୁବନେଶ୍ୱରରେ ଯେଉଁମାନେ କରୋନାରୁ ସୁସ୍ଥ ହୋଇଯାଇଛନ୍ତି, ସେମାନଙ୍କ ପାଇଁ ଏକ ଟ୍ରାଞ୍ଜିଟ ହୋମ୍‌ କରାଯାଇଛି । ଶ୍ରୀମତି ଗର୍ଗ କହିଛନ୍ତି, ହୋମ୍‌ କ୍ୱାରେଣ୍ଟାଇନକୁ ଅନୁମତି ଦିଆଯାଇଛି । ବୃଦ୍ଧ ଲୋକ ଓ କୋମର୍ବିଡିଟି ଥିବା ରୋଗୀ ଚିହ୍ନଟ କରାଯାଉଛି । ଏତଦ୍‌ ବ୍ୟତୀତ ୬୨୦୦ ଲୋକ ‘ସଚେତକ’ ଆପ୍‌ ଡାଉନଲୋଡ କରିଛନ୍ତି । ଆପରେ ସମସ୍ତ ସୂଚନା ମଧ୍ୟ ମିଳିପାରୁଛି ।