ଅର୍ଥନୀତିକୁ ଆଗକୁ ନେବାରେ ସହାୟକ ହେବେ ମିଠା ବେପାରୀ ! ଏବେଠାରୁ ମିଠା ବେପାରୀଙ୍କୁ ସହଜରେ ମିଳିବ ଋଣ ।

Advertisment
ଅର୍ଥନୀତିକୁ ଆଗକୁ ନେବାରେ ସହାୟକ ହେବେ ମିଠା ବେପାରୀ ! ଏବେଠାରୁ ମିଠା ବେପାରୀଙ୍କୁ ସହଜରେ ମିଳିବ ଋଣ ।

ରସଗୋଲା ଠାରୁ ଆରମ୍ଭ କରି ଛେନାପୋଡ଼ ଓ ଛେନାଝିଲ୍ଲି ପର୍ଯ୍ୟନ୍ତ ରାଜ୍ୟରେ ଅନେକ ପ୍ରକାର ମିଠା ପ୍ରସ୍ତୁତ କରି ବିକ୍ରି କରାଯାଉଛି। ଏହି କ୍ଷେତ୍ରରେ ସକ୍ରିୟ ଥିବା ବେପାରୀମାନଙ୍କ ପାଖରେ ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବାର ଶକ୍ତି ରହିଛି ବୋଲି ଏକ ସରକାରୀ ବ୍ୟାଙ୍କ ଭାବୁଛି। ସେଥିପାଇଁ ସେମାନଙ୍କୁ ସୁବିଧାରେ ଋଣ ପ୍ରଦାନ କରିବା ଲାଗି ଏହା ଆଗ୍ରହ ପ୍ରକାଶ କରିଛି। ପାହାଳର ରସଗୋଲା, ନିମାପଡ଼ାର ଛେନାଝିଲ୍ଲି ଓ ନୟାଗଡ଼ର ଛେନାପୋଡ଼ ବେପାରୀମାନଙ୍କୁ ଏହି ବ୍ୟାଙ୍କ ସୁବିଧାରେ ଋଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ସେହି ବ୍ୟାଙ୍କଟି ହେଉଛି ବ୍ୟାଙ୍କ ଅଫ୍ ଇଣ୍ଡିଆ। ମିଠା ବେପାରୀ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, କଟକର ତାରକସୀ କାରିଗର, ପର୍ଯ୍ୟଟନ କ୍ଷେତ୍ର, ମତ୍ସ୍ୟଚାଷୀ ଓ କୃଷି କ୍ଷେତ୍ରକୁ ଅଧିକ ଋଣ ପ୍ରଦାନ କରି ଦେଶର ଦ୍ରୁତ ବିକାଶରେ ଭାଗିଦାରୀ ହୋଇପାରିବ ବୋଲି ବ୍ୟାଙ୍କ ଭାବୁଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ଏହା କ୍ଲଷ୍ଟର ସ୍କିମରେ କମ୍ ସୁଧରେ ସଠିକ୍ ସମୟରେ ଋଣ ଦେବାକୁ ଚାହୁଁଛି । ମତ୍ସ୍ୟଚାଷୀଙ୍କୁ ବୋଟ୍ ଓ ଜାଲ କିଣିବା ଲାଗି ଏହି ସରକାରୀ ବ୍ୟାଙ୍କ ଋଣ ପ୍ରଦାନ କରିବ। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦ୍ରାପଡ଼ାର ପର୍ଯ୍ୟଟନ କ୍ଷେତ୍ରରେ ସକ୍ରିୟ ଥିବା ସଂସ୍ଥାଗୁଡ଼ିକୁ ମଧ୍ୟ ଏହା ସହଯୋଗ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ଦେଶର ବିକାଶକୁ ତ୍ୱରାନ୍ୱିତ କରିବା ଲାଗି କେବଳ ବ୍ୟାଙ୍କ ଅଫ୍ ଇଣ୍ଡିଆ ନୁହେଁ, ରାଜ୍ୟରେ ସକ୍ରିୟ ଥିବା ସମସ୍ତ ସରକାରୀ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ପାଖକୁ ଅନେକ ନୂଆ ନୂଆ ପ୍ରସ୍ତାବ ପଠାଇଛନ୍ତି।

publive-image

ବ୍ୟାଙ୍କଗୁଡ଼ିକ ତରଫରୁ ଗତକାଲି ଠାରୁ ଶାଖା ସ୍ତରରେ ଦୁଇ ଦିନିଆ ପରାମର୍ଶ ବୈଠକ ଆରମ୍ଭ କରାଯାଇଥିଲା। ଦେଶର ଅର୍ଥନୀତିକୁ ଆସନ୍ତା ପାଞ୍ଚ ବର୍ଷ ଭିତରେ ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ବ୍ୟାଙ୍କଗୁଡ଼ିକ କ’ଣ ସବୁ ସହଯୋଗ ପ୍ରଦାନ କରିପାରିବେ ସେ ବିଷୟରେ ଜଣାଇବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଥିଲା । ତାହାକୁ ଦୃଷ୍ଟିରେ ରଖି ଶାଖା ସ୍ତରରୁ ପ୍ରସ୍ତାବ ସଂଗ୍ରହ କରାଯାଇଛି। ଏହି ଅଭିଯାନରେ ସଂଗ୍ରହ କରାଯାଇଥିବା ପ୍ରସ୍ତାବଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଆର୍ଥିକ ସେବା ବିଭାଗକୁ ପ୍ରଦାନ କରାଯିବ। ରାଜ୍ୟରେ କାରବାର କରୁଥିବା ଆହ୍ଲାବାଦ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ ଓ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍‌ କମର୍ସ ତରଫରୁ ମଧ୍ୟ ସରକାରଙ୍କୁ ଅନେକ ନୂଆ ନୂଆ ପ୍ରସ୍ତାବ ଦିଆଯାଇଛି। ବ୍ୟାଙ୍କଗୁଡ଼ିକ ନିଜର ଉଚ୍ଚ ପ୍ରଦର୍ଶନକାରୀ ଶାଖା ଜରିଆରେ ଦେଶର ବିକାଶରେ ଭାଗିଦାରୀ ହୋଇପାରିବେ ବୋଲି ଜଣାଇଛନ୍ତି। ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ଅଧିକ ଋଣ ପ୍ରଦାନ କରିବା, ପ୍ରଯୁକ୍ତି ଓ ଜ୍ଞାନକୌଶଳର ବ୍ୟବହାର ବଢ଼ାଇବା, ଡିଜିଟାଲ୍ କାରବାର ପ୍ରସାର କରିବା ତଥା କୃଷି, କ୍ଷୁଦ୍ର ଶିଳ୍ପ, ଉଦ୍ୟୋଗୀ, ଯୁବପିଢ଼ି, ଛାତ୍ରଛାତ୍ରୀ ଓ ମହିଳାଙ୍କୁ ସ୍ବତନ୍ତ୍ର ଋଣ ସହାୟତା ଯୋଗାଇ ଦେବା ଉପରେ ବ୍ୟାଙ୍କଗୁଡ଼ିକ ଆଲୋଚନା କରିଛନ୍ତି।

publive-image

ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ଜଳ ଶକ୍ତି, ମୁଦ୍ରା ଋଣ ଯୋଜନା, ଷ୍ଟାଣ୍ଡ୍‌ ଅପ୍ ଇଣ୍ଡିଆ, ରପ୍ତାନି ପ୍ରୋତ୍ସାହନ ଯୋଜନା, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଆଦିକୁ କିଭଳି ସଫଳ କରାଇ ହେବ ସେ ସମ୍ପର୍କିତ ପ୍ରସ୍ତାବ ମଧ୍ୟ ବ୍ୟାଙ୍କଗୁଡ଼ିକ ପ୍ରଦାନ କରିଛନ୍ତି। ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜନ କରାଯାଇଥିବା କାର୍ଯ୍ୟକ୍ରମରେ ଆଞ୍ଚଳିକ ପ୍ରବନ୍ଧକ ୱାଇ ଏନ୍ ଦ୍ବିବେଦୀ, ମହାପ୍ରବନ୍ଧକ ଏସ୍‌ ଏସ୍‌ ଦାଶ, ଉପ ମହାପ୍ରବନ୍ଧକ ପି କେ ସିହ୍ନା, ସହାୟକ ମହାପ୍ରବନ୍ଧକ ବି ବି ତ୍ରିପାଠୀ ଉପସ୍ଥିତ ଥିଲେ। ସେହିପରି ବ୍ୟାଙ୍କ ଅଫ ବରୋଦା କାର୍ଯ୍ୟକ୍ରମରେ ଉପମହାପ୍ରବନ୍ଧକ ଏସ ନନ୍ଦ, ଉପ କ୍ଷେତ୍ରୀୟ ମୁଖ୍ୟ ଭାରତ ଭୂଷଣ, ହରିଶ ସିହ୍ନା, କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ମହାପ୍ରବନ୍ଧକ ଉମେଶ ଚନ୍ଦ୍ର ମହାପାତ୍ର । ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ଆଶୁତୋଷ ଚୌଧୁରୀ ଓ ଉପମହପ୍ରବନ୍ଧକ ତୌଫିକ୍ ଆଲାମ୍ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କାର୍ଯ୍ୟକ୍ରମରେ ମଣ୍ଡଳ ମୁଖ୍ୟ ଗଣପତ୍ ଲାଲ୍‌। ଇଣ୍ଡିଆନ ବ୍ୟାଙ୍କ କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ ଏସ୍‌ ରବି, ଆଞ୍ଚଳିକ ପ୍ରବନ୍ଧକ ଶଶି ଭୂଷଣ ଦାଶ, ଉପ ଆଞ୍ଚଳିକ ପ୍ରବନ୍ଧକ ଲକ୍ଷ୍ମୀଧର ନାୟକ ଓ ଆହ୍ଲାବାଦ ବ୍ୟାଙ୍କ କାର୍ଯ୍ୟକ୍ରମରେ ଉପ ମହାପ୍ରବନ୍ଧକ ପ୍ରେମ ସିଂହ ଆଜାଦ ଓ ଆଞ୍ଚଳିକ ପ୍ରବନ୍ଧକ ସନ୍ଦୀପ କୁମାର ଘୋଷାଲ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe