କନକ ବ୍ୟୁରୋ : ଆପଣ ସହରରେ ଯେଉଁ ଘର କରିଛନ୍ତି ସେଥିପାଇଁ ପ୍ଲାନ୍ ଅନୁମୋଦନ କରିନାହାନ୍ତି କି? କିମ୍ବା ପ୍ଲାନ୍ ଗୋଟିଏ ପ୍ରକାର, ଘର ଆଉ ଏକପ୍ରକାର କରି ଦ୍ୱନ୍ଦ୍ୱରେ ରହିଛନ୍ତି କି? ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ନଗର ଉନ୍ନୟନ ବିଭାଗ ଆଣିବାକୁ ଯାଉଛି ସର୍ବକ୍ଷମା ଯୋଜନା । ସର୍ବକ୍ଷମା ଯୋଜନାରେ ଧାର୍ଯ୍ୟ ଜରିମାନା ଦେଇ ବେଆଇନ୍ ନିର୍ମାଣକୁ ରେଗୁଲାରାଇଜ୍ କରିହେବ ।
ଯଦି ଆପଣ ବିନା ପ୍ଲାନିଂରେ ଘର କରିଛନ୍ତି ବା ଅନୁମୋଦିତ ପ୍ଲାନିଂକୁ ବଦଳାଇ ଦେଇଛନ୍ତି କିମ୍ବା ନିୟମଠାରୁ ଅଧିକ ନିର୍ମାଣ କରିଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ଖବର । ରାଜ୍ୟର ବିଭିନ୍ନ ସହରାଞ୍ଚଳ ଓ ଉନ୍ନୟନ କର୍ତୃପକ୍ଷଙ୍କ ଅଧୀନରେ ଥିବା ଅଞ୍ଚଳରେ ଗଢି ଉଠିଥିବା ବେଆଇନ ଆବାସିକ ଘର, ଆପାର୍ଟମେଣ୍ଟ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ ଏବଂ ବିଭିନ୍ନ ପ୍ରକଳ୍ପଗୁଡିକୁ ରେଗୁଲାରାଇଜ୍ କରାଯିବ । ଅର୍ଥାତ୍ ଘର ଭଙ୍ଗାଯିବନି, ନିର୍ଦ୍ଧାରିତ ଜରିମାନା ଦେଲେ ବେଆଇନ ନିର୍ମାଣକୁ ଆଇନସମ୍ମତ କରାଯିବ । ଏ ନେଇ ନଗର ଉନ୍ନୟନ ବିଭାଗ ଆଣିବାକୁ ଯାଉଛି ସର୍ବକ୍ଷମା ଯୋଜନା ।
ଜୁନ ମାସ ଶେଷ ସପ୍ତାହରେ ସର୍ବକ୍ଷମା ଯୋଜନାର ବିଜ୍ଞପ୍ତି ପ୍ରକାଶ କରିବାକୁ ନିଷ୍ପତି ନେଇଛି ନଗର ଉନ୍ନୟନ ବିଭାଗ । ଏଥିପାଇଁ ବିଭିନ୍ନ ବିଭାଗର ମତାମତ ଲୋଡାଯାଇଛି । ପ୍ରସ୍ତୁତ ହୋଇଥିବା ଗାଇଡଲାଇନରେ ସେମାନେ ସଂଶୋଧନ ପ୍ରସ୍ତାବ ଦେଇପାରିବେ । ତେବେ ସୂଚନା ଅନୁସାରେ ଜରିମାନା ରାଶି ବର୍ଗଫୁଟ ପିଛା ୫୦ ଟଙ୍କାରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରଖିବାକୁ ଆପାତତଃ ସ୍ଥିର କରାଯାଇଛି । ଏଥିରେ ରହିଛି ୪ଟି ସ୍ଲାବ୍ । ଅର୍ଥାତ୍ ସହର ଉପକଣ୍ଠ ଗ୍ରାମାଂଚଳ ପାଇଁ ଜରିମାନା ଗୋଟିଏ ପ୍ରକାର, ମୁନିସପାଲିଟି ଓ ଏନଏସି ପାଇଁ ଅଲଗା ମୂଲ୍ୟ ଏବଂ ମହାନଗର ନିଗମ ପାଇଁ ଧାର୍ଯ୍ୟ ହେବ ଅନ୍ୟ ପ୍ରକାର ମୂଲ୍ୟ । ଏହାଛଡ଼ା ଆପାଟମେଂଟ, ହସ୍ପିଟାଲ, ବ୍ୟବସାୟିକ ଅନୁଷ୍ଠାନ ପାଇଁ ଆଦାୟ ହେବ ଆଉ ଏକ ସ୍ଲାବରେ ଜରିମାନା ।
ଗୋଟିକିଆ ଆବାସିକ ଘର ପାଇଁ ସର୍ବକ୍ଷମାରେ କୋହଳ ନୀତି ଗ୍ରହଣ କରାଯିବ । ଘର ନିର୍ମାଣ ସମୟରେ ଚାରିକଡ଼େ ସ୍ଥାନ ଛାଡିନଥିଲେ, ସର୍ବକ୍ଷମା ଯୋଜନାରେ ଜରିମାନା ନେଇ ରେଗୁଲାରାଇଜ୍ କରାଯିବ । ତେବେ ବହୁତଳ ପ୍ରସାଦ, ଆପାର୍ଟମେଂଟ, ହସ୍ପିଟାଲ, ସିନେମା ହଲ ଆଦି କ୍ଷେତ୍ରରେ ଏହି ନୀତି ଗ୍ରହଣ ହେବନି । କେବଳ ଅଧିକ ଉଚ୍ଚତା ଓ ଅଧିକ ଘର ନିର୍ମାଣ ହୋଇଥିଲେ ଏହା ସର୍ବକ୍ଷମା ଅଧୀନକୁ ଆସିବ ବୋଲି ସୂଚନା ମିଳିଛି ।