କନକ ବ୍ୟୁରୋ: ବାମଣ୍ଡାର ଲଙ୍କା ଚାଷ ସାରା ରାଜ୍ୟରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ ଏଠାକାର ଲଙ୍କା ରାଜ୍ୟ ବାହାରକୁ ମଧ୍ୟ ରପ୍ତାନୀ ହୋଇଥାଏ । ତେବେ ଗତ କିଛି ବର୍ଷ ହେବ କୁଚିଣ୍ଡା ତଥା ଆଖପାଖ ଅଂଚଳର ଚାଷୀ ଲଙ୍କା ଚାଷରୁ ମନ ଫେରାଇ ନେଲେଣି । ଆବଶ୍ୟକ ଭିତିଭୂମିର ଅଭାବ ସାଙ୍ଗକୁ ଜଳସେଚନର  ଅସୁବିଧା କାରଣରୁ ଚାଷୀ ଆଉ ଚାହିଦା ମୁତାବକ ଲଙ୍କା ଚାଷ କରୁନଥିବା ବେଳେ ଏବେ ଆଦିବାସୀଙ୍କୁ ପ୍ରୋତ୍ସାହନ ମାଧ୍ୟମରେ ସୁଯୋଗ ଦେଇ ପୁଣି ଲଙ୍କା ଚାଷର ପୂର୍ବ ଐତିହକୁ ଫେରାଇବାକୁ ଚେଷ୍ଟା କରୁଛି ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ।

Advertisment

ଲଙ୍କା ଚାଷ ପାଇଁ ଚାଷୀ ମୁହଁ ଫେରାଇ ନେଉଥିବା ବେଳେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ଏବେ ପ୍ରୟାସ ଆରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଉପଖଣ୍ଡର ୨୫୦ ଜଣ ଚାଷୀଙ୍କୁ ୬୫ ଏକର ଜମିରେ ଚାଷ କରିବା ପାଇଁ ବିହନ , ସାର , ଔଷଧ , କିଟନାଶକ ଆଦି ଯୋଗାଇ ଦିଆଯାଇଥିଲା । ଆଉ ଏବେ ଲଙ୍କା ଅମଳର ସମୟ ଆସିଲାଣି । ଅନେକ ଯାଗାରେ ଅମଳ ମଧ୍ୟ ଆରମ୍ଭ ହେଲାଣି । ତେବେ ଚାଷ ସମୟରେ ସଂପୃକ୍ତ ସଂସ୍ଥା ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଇ ଅନୁଧ୍ୟାନ କରାଯାଉଥିଲା । ଚାଷ ଭଲ ହୋଇଥିବା ବେଳେ ଭଲ ଦି ପଇସା ରୋଜଗାର କରିବା ନେଇ ଆଶା ରଖିଛନ୍ତି ଚାଷୀ ।

ଲଙ୍କା ଚାଷରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇ ସେମାନଙ୍କ ଉତ୍ପାଦିତ ଲଙ୍କାକୁ ବିଭିନ୍ନ ସଂସ୍ଥା ମାଧ୍ୟମରେ କିଣାଯିବାର ବ୍ୟବସ୍ଥା କରାଯିବା ନେଇ ସୁବିଧା କରାଯିବା ସହ ସଂସ୍ଥା ପକ୍ଷରୁ ନୁଆ କରି ଏକ ଚିଲି ପ୍ରୋସେସିଙ୍ଗ ୟୁନିଟ ସ୍ଥାପନ କରାଯାଇଛି । ଏସଏଚଜି ମହିଳାଙ୍କ ମାଧ୍ୟମରେ ଏହି ଲଙ୍କାକୁ ପାଉଡର ସହ ପ୍ୟାକେଟ କରାଯାଇ ବଜାରରେ ବିକ୍ରି କରାଯିବା ନେଇ କହିଛନ୍ତି କ୍ଷେତ୍ର ପରିଦର୍ଶନରେ ଆସିଥିବା ପ୍ରକଳ୍ପ ମ୍ୟାନେଜର ।