କନକ ବ୍ୟୁରୋ: କୋଭିଡ ଟିକା କେବେ ଆସିବ, ତାକୁ ନେଇ ସାରା ଦୁନିଆ ଚାହିଁ ରହିଥିବା ବେଳେ ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି, ଦେଶର ସମସ୍ତ ନାଗରିକଙ୍କ କୋଭିଡ ଟିକା ଦିଆଯିବ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି, ସରକାର ଦେଶର ସମସ୍ତ ନାଗରିକଙ୍କୁ କୋଭିଡ ଟିକାକରଣ କରାଯିବ ବୋଲି ଆଦୌ କହିନାହାନ୍ତି । ଦେଶରେ କରୋନାର ଚେନକୁ ଭାଙ୍ଗିବା ପାଇଁ ଟିକା କରଣ କରାଯିବ ହେଲେ ସରକାରଙ୍କ ପକ୍ଷରୁ ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଯୋଗାଇ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ତେବେ କୋଭିଡ ଚେନକୁ ଭାଙ୍ଗିବା ପାଇଁ କେଉଁମାନଙ୍କୁ ଟିକା ଦିଆଯିବ, ସେନେଇ ସରକାର ନିଷ୍ପତ୍ତି ନେବେ । ସରକାରଙ୍କ ମୂଳ ଲକ୍ଷ୍ୟ ହେଉଛି ସଂକ୍ରମଣର ଚେନକୁ ଭାଙ୍ଗିବା । ବର୍ତ୍ତମାନ ଦେଶରେ ଦୈନିକ କରୋନା ସଂକ୍ରମଣ ହାର ୩.୭୨ ପ୍ରତିଶତ ରହିଛି । ଭାରତରେ ପ୍ରାୟ ଏକ ମିଲିୟନ ଲୋକଙ୍କ ମଧ୍ୟରୁ ୨୧୧ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗତ ୭ ଦିନର ରିପୋର୍ଟ କହିଛି ୟୁରୋପ ମହାଦେଶରେ କରୋନା ସଂକ୍ରମଣ ମାମଲା ବଢିବାରେ ଲାଗିଛି ।