ମୂର୍ତି ଉଚ୍ଚତା ବିବାଦକୁ ନେଇ କୋର୍ଟ ଗଲେ ପୂଜାକମିଟି ସଦସ୍ୟ । ସରକାରଙ୍କ ନିଷ୍ପତ୍ତିକୁ କଲେ ଚ୍ୟାଲେଞ୍ଜ । 

151

କନକ ବ୍ୟୁରୋ : ମୂର୍ତି ଉଚ୍ଚତାକୁ ନେଇ ବିବାଦ କମିବା ବଦଳରେ ବଢିଚାଲିଛି । ରାଜରାସ୍ତାର ଆନ୍ଦୋଳନ ହାଇକୋର୍ଟରେ ପହଞ୍ଚିବା ସହ ପ୍ରସଙ୍ଗରେ ରାଜନୀତିର ରଙ୍ଗ ଲାଗିଛି । ୪ ଫୁଟର ଉଚ୍ଚତା ପଛର କାରଣ ଓ ସରକାରଙ୍କ ତମାମ ଆଲୋଚନାରୁ ସୁଫଳ ମିଳୁନଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍ ମାମଲାକୁ ଗୋଳମାଳିଆ କରିଛି । ଏହାରି ଭିତରେ ସ୍ୱାସ୍ଥ୍ୟ ବିଭାଗର ୩ ବରିଷ୍ଠ ଅଧିକାରୀ ସରକାରଙ୍କ ଗାଇଡଲାଇନ ପଛର କାରଣ କହି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ । ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ପିଟିସନ୍ । ରାଜପଥର ଆନ୍ଦୋଳନ, ପାୱାର କରିଡର୍ ରାସ୍ତା ଦେଇ ଏବେ ହାଇକୋର୍ଟରେ । ମୂର୍ତ୍ତି ଉଚ୍ଚତା ୪ ଫୁଟ ଭିତରେ ହିଁ ରଖିବାକୁ ସରକାର ଚୁଡାନ୍ତ ନିଷ୍ପତ୍ତି ନେବା ପରେ ଏହାକୁ ବିରୋଧ କରି ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି ବାଲୁବଜାର ପୂଜା କମିଟି । ପୂର୍ବଭଳି ଉଚ୍ଚ ମୂର୍ତ୍ତି କରିବାକୁ ଅନୁମତି ଦିଆଯାଉ ବୋଲି ଏଥିରେ ଯୁକ୍ତି ଦର୍ଶାଯାଇଥିବା ବେଳେ କୋର୍ଟ ଏହାକୁ ଗ୍ରହଣ କରି ସରକାରଙ୍କୁ ନୋଟିସ୍ କରିଛନ୍ତି ।

ଏପଟେ ମୂର୍ତ୍ତି ବିବାଦରେ ମୁଣ୍ଡ ପୁରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି କହିଛନ୍ତି,

– କଟକର ସାହି କମିଟି, ପୂଜା କମିଟି, ଶାନ୍ତି କମିଟି ଓ ସଂଗଠନର ଭିନ୍ନ ମତ ଆସୁଛି

– ରାଜ୍ୟ ସରକାର ଏହାକୁ ଗୁରୁତ୍ୱର ସହ ସହ ନେଇ ପୁନର୍ବାର ଆଲୋଚନା କରନ୍ତୁ

– ଭାବାବେଗକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା ନେଇ ଆଶାବାଦୀ

– ମହାମାରୀର ପ୍ରକୋପ କମିିଛି, ନିୟମ ପାଳନ କରି ପୁଜାର୍ଚ୍ଚନା ଶୃଙ୍ଖଳିତ ହୋଇପାରିବ

ବଡ କଥା ହେଉଛି, ନିଜର ୪ଟି ଟ୍ୱିଟରେ କେନ୍ଦ୍ରମନ୍ତ୍ରୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କଲା ଭଳି ଲାଗୁନାହିଁ । କାରଣ, ମୂର୍ତ୍ତିର ଉଚ୍ଚତା ବଢିବା ଉଚିତ କି ନୁହେଁ, ସେନେଇ ସେ କିଛି ବି ଇଙ୍ଗିତ କରିନାହାନ୍ତି । ସରକାର ଆଲୋଚନା କରି ନୂଆ ନିଷ୍ପତି ନେଇଥିବାରୁ ଏହି ଟ୍ୱିଟର କଣ ରହିବ ପ୍ରଭାବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଏହାରି ଭିତରେ ସ୍ୱାସ୍ଥ୍ୟ ବିଭାଗର ୩ ବରିଷ୍ଠ ଅଧିକାରୀ ସାମ୍ନାକୁ ଆସି ସରକାରଙ୍କ ନିଷ୍ପତିକୁ ଯଥାର୍ଥ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । ପାର୍ବଣ ଋତୁରେ ସଂକ୍ରମଣ ବଢିବା ଆଶଙ୍କାରେ ସରକାର ଲଗାଇଥିବା କଟକଣାକୁ ହେଉଥିବା ବିରୋଧ ଏକ ନିର୍ଣ୍ଣାୟକ ଲଢେଇର ରୂପ ନେଇଛି । କାରଣ, ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ଥିବାରୁ ମଝି ରାସ୍ତା କଣ ବାହାରିବ, ତାଉପରେ ନଜର ରହିଛି ।